ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍ ପଡିଲେ ଦୀପକ ଚହର

ନୂଆଦିଲ୍ଲୀ: ଆହତ ଯୋଗୁଁ ଭାରତୀୟ ଦଳର ଦ୍ରୁତ ବୋଲର ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡିଛନ୍ତି। ଇନ୍ଦୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ଚହରଙ୍କ ପିଠିରେ ଆଘାତ ଲାଗିଥିଲା। ଫଳରେ ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଖେଳି ପାରିନଥିଲେ ଚହର। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ୍ କରାଯାଇଛି। ଶନିବାର ବିସିସିଆଇ ବିଜ୍ଞପ୍ତି ଜରିଆରେ ଏହାର ସୂଚନା ଦେଇଛି।

ଓ୍ଵାଶିଂଟନ ଦିନିକିଆ ଫର୍ମାଟ୍‌ରେ ନିଜର ଶେଷ ମ୍ୟାଚ୍‌ ଚଳିତ ବର୍ଷ ଫେବୃଆରୀରେ ଖେଳିଥିଲେ। ବର୍ତ୍ତମାନ ଦୀପକ ଚହର ପୁଣି ଥରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ଯିବେ ଏବଂ ସେଠାରେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ। ସେ ଟି-୨୦ ବିଶ୍ଵ କପ୍‌ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଅଷ୍ଟ୍ରେଲିଆ ଗସ୍ତ କରିବେ କି ନାହିଁ ତାହା ତାଙ୍କର ଫିଟନେସ୍ ଉପରେ ନିର୍ଭର କରେ। ଉଲ୍ଲେଖନୀୟ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ନିକଟରୁ ୯ ରନରେ ପରାସ୍ତ ହୋଇଥିଲା। ରବିବାର ରାଞ୍ଚିରେ ଦ୍ଵିତୀୟ ଏବଂ ଅକ୍ଟୋବର ୧୧ରେ ନୂଆଦିଲ୍ଲୀର ତୃତୀୟ ଦିନିକିଆ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ଭାରତର ଦିନିକିଆ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ଶ୍ରେୟସ ଆୟର(ଉପ ଅଧିନାୟକ), ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଅଭେଶ ଖାନ, ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର।

Related Articles

Back to top button