ରାୱଲପିଣ୍ଡି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୭୫ ଓଭର ଖେଳି ଇଂଲଣ୍ଡ ଟିମ ୫୦୬ ରନ କରିବାରେ ସଫଳ, ସର୍ବାଧିକ ରନ କରିବାରେ ରେକର୍ଡ
ଇସଲାମାବାଦ: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇତିହାସ ରଚିଲା ଇଂଲଣ୍ଡ । ରାୱଲପିଣ୍ଡିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୭୫ ଓଭର ଖେଳି ଇଂଲଣ୍ଡ ଟିମ ୫୦୬ କରିବାରେ ସଫଳ ହୋଇଛି । ଏହା ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଦିନରେ ହାସଲ କରାଯାଇଥିବା ସବୁଠୁ ଅଧିକ ରନ ।
ଫ୍ଲାଟ୍ ପିଚରେ ପ୍ରଥମେ ବ୍ୟାଟିଂ କରିବା ନେଇ ଇଂଲଣ୍ଡ ଟିମର ନିଷ୍ପତ୍ତି ଠିକ୍ ପ୍ରମାଣିତ ହୋଇଛି । ଥ୍ରୀ ଲାୟନ୍ସ ଟିମ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୫୦୬ ରନ କରିବାରେ ସଫଳ ହୋଇଛି । ଏହାସହ ଗୋଟିଏ ଦିନରେ ସର୍ବାଧିକ ରନ ହାସଲ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛି । ୧୯୧୦ ମସିହାରେ ଦ.ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ ହରାଇ ୪୯୪ ରନ ହାସଲ କରିଥିଲା । ଏହିପରି ଇଂଲଣ୍ଡ ଟିମ ୧୧୨ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି ।
ଇଂଲଣ୍ଡ ଟିମ ପାଇଁ ଓପନର ଜ୍ୟାକ କ୍ରଲ ୧୨୨, ବେନ ଡକେଟ ୧୦୭, ଓଲି ପୋପ ୧୦୮ ଏବଂ ହ୍ୟାରୀ ବ୍ରୁକ ଅପରାଜିତ ୧୦୧ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ମ୍ୟାଚର ପ୍ରଥମ ଦିନରେ ହିଁ ଚାରି ବ୍ୟାଟର ଶତକ ହାସଲ କରିଛନ୍ତି । ଏବେ ଇଂଲଣ୍ଡ ଟିମ ଗୋଟିଏ ଇନିଂସରେ ସବୁଠୁ ଅଧିକ ୫ ଶତକ ହାସଲ ରେକର୍ଡ ସହ ବରାବର କରିବାକୁ ଚାହିଁବ । ୧୯୯୫ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏବଂ ୨୦୦୧ ମସିହାରେ ବାଂଲାଦେଶ ବିପକ୍ଷରେ ପାକିସ୍ତାନ ଏହା କରିବାରେ ସଫଳ ହୋଇଥିଲା ।