
୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଇଂଲଣ୍ଡ
ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଆଲେକ୍ସ ହେଲ୍ସ ଓ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଅପରପକ୍ଷରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏଥିସହ ଏହି ଦୌଡରୁ ବାଦ ପଡିଛି। ଶ୍ରୀଲଙ୍କା ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇଥାନ୍ତା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିଥିଲା। ପଥୁମ ନିଶଙ୍କା ୪୫ ବଲରେ ୬୭ ଓ ଭାନୁକା ରାଜପାକ୍ଷେ ୨୨ ରନର ଇନିଂସ ଖେଳିଥିଲେ । ମାର୍କ ଉଡ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ।
୧୪୨ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୧୯.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା । ହେଲ୍ସ ୩୦ ବଲରୁ ୪୭ ଏବଂ ଷ୍ଟୋକ୍ସ ୩୬ ବଲରୁ ଅପରାଜିତ ୪୨ ରନ କରି ଦଳକୁ ସହଜରେ ବିଜୟୀ କରାଇଥିଲେ । ଶ୍ରୀଲଙ୍କାର ହସରଙ୍ଗା ଓ ଧନଞ୍ଜୟ ଡି ସିଲଭା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।