
ଗିଲଙ୍କ ଦୁଇଟି ଶତକ ଗମ୍ଭୀରଙ୍କ ପାଇଁ ଲାଇଫ ଲାଇନ୍ ସାବ୍ୟସ୍ତ : କ୍ରିକେଟର ସୁରିନ୍ଦର ଖାନ୍ନା
ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତର ଧମାକାଦାର ବିଜୟ ପରେ ଏବେ ସବୁଠି ନୂଆ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ଚର୍ଚ୍ଚା । ପ୍ରଥମ ପାଳିରେ ୨୬୯ ଓ ଦ୍ବିତୀୟ ପାରିରେ ୧୬୧ ବଳରେ ଭାରତ ଇଂଲଣ୍ଡକୁ ୬୦୮ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା । ଏହାସହ ଆକାଶ ଦୀପଙ୍କ ୧୦ ଓ୍ବିକେଟ, ସିରାଜ ଓ ଜାଡେଜାଙ୍କ ବୋଲିଂ ପ୍ରଦର୍ଶନ ବଳରେ ଭାରତ ସିରିଜକୁ ୧-୧କୁ ଆଣିବାକୁ ସକ୍ଷମ ହୋଇଛି । ଆଉ ଭାରତର ଏହି ବିଜୟ କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଆଶ୍ବସ୍ତି ଆଣିଛି । ଗିଲ ଓ ଭାରତୀୟ ଟିମକୁ ବିଜୟ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ସୁରିନ୍ଦର ଖାନ୍ନା ପ୍ରଶଂସା କରିବା ସହ ଗମ୍ଭୀରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଏହି ବିଜୟ ଗମ୍ଭୀରଙ୍କ ପାଇଁ ଲାଇଫ ଲାଇନ୍ ସାବ୍ୟସ୍ତ ହୋଇଛି ।
ସୁରିନ୍ଦର ଆଗକୁ କହିଛନ୍ତି, ଏହି ବିଜୟ ଗମ୍ଭୀରଙ୍କ ପାଇଁ ଲାଇଫ ଲାଇନ । ଏହା ତାଙ୍କ ଉପରେ ବଢୁଥିବା ଚାପକୁ କମାଇବାରେ ସହାୟକ ହେବ । ଆଗକୁ ଦଳର ପ୍ରଦର୍ଶନ ଯେମିତି ଏପରି ସାନାଦାର ରହିବ ତାହା ଉପରେ ଗମ୍ଭୀରଙ୍କୁ ନଜର ଦେବାକୁ ପଡ଼ିବ ।ସୂଚନାଯୋଗ୍ୟ, ୨୦୨୪ରେ ଗମ୍ଭର ଟିମ୍ ଇଣ୍ଡିଆର କୋଚିଂ ଦାୟିତ୍ବ ସମ୍ବାଳି ଥିଲେ । ପ୍ରାରମ୍ଭରେ ତାଙ୍କ କୋଚିଂରେ ଦଳ ଭଲ ପ୍ରଦର୍ଶନ କରିଥିଲା । ଏହି ସମୟରେ ଭାରତ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ବି ଜିତି ଥିଲା । ହେଲେ ଟେଷ୍ଟ କ୍ରିକେଟରେ ଗମ୍ଭୀରଙ୍କ ରଣନୀତିକୁ ନେଇ ଏବେ ବି ପ୍ରଶ୍ନ ଉଠିବାରେ ଲାଗିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜରେ ଭାରତକୁ ୩-୦ରେ ଶୋଚନୀୟ ଭାବେ ସିରିଜ ହାରିବାକୁ ପଡିଥିଲା । ଏହାପରେ ଅଷ୍ଟ୍ରେଲିଆ ଗସ୍ତରେ ବି ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ଟେଷ୍ଟ ସିରିଜ ହାରିଥିଲା । ଯେଉଁ କାରଣରୁ ଟିମ୍ ଇଣ୍ଡିଆ ଓ୍ବାଲ୍ଡ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ସ୍ଥାନ ବନାଇ ପାରି ନଥିଲା । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ଗମ୍ଭୀରଙ୍କ କୋଚିଂ ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଥିଲା ।