ଆଜିଠାରୁ ହକି ବିଶ୍ୱକପ ଟିକେଟ ଅଫଲାଇନରେ ବିକ୍ରି ହେବ

ଭୁବନେଶ୍ୱର: ଏଥର ପୁରୁଷ ହକି ବିଶ୍ୱକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା ।  ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶରୁ ବହୁ ଅତିଥି ତଥା କ୍ରିଡ଼ାପ୍ରେମୀଙ୍କ ସୁଅ ଛୁଟିବ । ତେଣୁ ସହରଗୁଡ଼ିକର ଆକର୍ଷଣ, ସୁନ୍ଦରତା ତଥା ପରିଷ୍କାର ପରିଚ୍ଛନତାରେ ଯେପରି କୌଣସି ତ୍ରୁଟି ନରୁହେ, ସେଥିପ୍ରତି ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି ।

ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପର ମ୍ୟାଚ ସବୁ ଖେଳାଯିବ । ଆଜିଠାରୁ ହକି ବିଶ୍ୱକପ ନିମନ୍ତେ ଅଫଲାଇନରେ ଟିକେଟ ବିକ୍ରି ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟରେ ଏହି ଟିକେଟ ଉପଲବ୍ଧ ହେବ । ସେହିପରି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର ୨ ଓ ୬ ନମ୍ବର ଗେଟରୁ ଦର୍ଶକମାନେ ଟିକେଟ ସଂଗ୍ରହ କରିପାରିବେ । ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଟିକେଟ ଉପଲବ୍ଧ ରହିବ ବୋଲି କୁହାଯାଇଛି ।

ତେବେ ସୂଚନା ମୁତାବକ, କଳିଙ୍ଗ ଷ୍ଟାଡିୟମର ପଶ୍ଚିମ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟ ୫୦୦, ପୂର୍ବ ଷ୍ଟାଣ୍ଡ ପାଇଁ ୪୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ରଖାଯାଇଛି । ସେହିପରି ବିର୍ସା ମୁଣ୍ଡା ଷ୍ଟାଡିୟମର ପଶ୍ଚିମ ଷ୍ଟାଣ୍ଡ ପାଇଁ ୫୦୦, ପୂର୍ବ ଷ୍ଟାଣ୍ଡ ପାଇଁ ୨୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଲେଖାଏଁ ରଖାଯାଇଛି । ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ମୋଟ ୪୪ଟି ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ୧୫ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୪ଟି ମ୍ୟାଚ ଖେଳାଯିବ । ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୦ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Related Articles

Back to top button