
ଫିକି ଇଣ୍ଡିଆର ପ୍ରଥମ ଓଡ଼ିଆ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା
ଭୁବନେଶ୍ୱର: ଇମ୍ଫା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ତଥା ଫିକିର ଉପସଭାପତି ଥିବା ଶୁଭ୍ରକାନ୍ତ ପଣ୍ଡା ଫିକିର ସଭାପତି ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଫିକି ଇଣ୍ଡିଆର ସଭାପତି ହୋଇଛନ୍ତି ଶୁଭ୍ରକାନ୍ତ ପଣ୍ଡା। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ବୁଧବାର ଶୁଭ୍ରକାନ୍ତ ପଣ୍ଡାଙ୍କୁ ଏହାର ପରବର୍ତ୍ତୀ ସଭାପତି ଭାବେ ଘୋଷଣା କରିଛି। ମୁମ୍ବାଇରେ ଅନୁଷ୍ଠିତ ଫିକି ଇଣ୍ଡିଆର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ଫିକି ହେଉଛି ବିଭିନ୍ନ ଶିଳ୍ପକୁ ନେଇ ତିଆରି ହୋଇଥିବା ଏକ ସଂଗଠନ। ଏବେ ଏହାର ସଭାପତି ସଞ୍ଜୀବ ମେହେଟ୍ଟା ରହିଛନ୍ତି। ଶୁଭ୍ରକାନ୍ତ ତାଙ୍କ ନିକଟରୁ ଡିସେମ୍ବର ୧୬-୧୭ରେ ଦାୟିତ୍ୱ ଗ୍ରହଣ କରିବେ। ଶୁଭ୍ରକାନ୍ତ ପଣ୍ଡା ୨୦ ବର୍ଷରୁ ଅଧିକ ସମୟ ଧରି ଫିକିରେ ସକ୍ରିୟ ଥିଲେ ଏବଂ ଚାମ୍ବରରେ ନେତୃତ୍ୱ ଗ୍ରହଣ କରିଥିବା ଓଡିଶାର ପ୍ରଥମ ଶିଳ୍ପପତି ହେବେ। ସେ ଫିକି ଓଡିଶା ରାଜ୍ୟ ପରିଷଦର ପ୍ରଥମ ଚେୟାରମ୍ୟାନ ମଧ୍ୟ ଥିଲେ।
ଶୁଭ୍ରକାନ୍ତ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏପରି ଏକ ସଂଗଠନ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ଏହାକୁ ସେ ସଠିକ୍ ଭାବେ ତୁଲାଇବେ ବୋଲି କହିଛନ୍ତି।