ଅକ୍ଷରଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ଶୃଙ୍ଖଳା ବିଜୟୀ

ପୋର୍ଟ ଅଫ୍‌ ସ୍ପେନ୍‌ : ଅକ୍ଷର ପଟେଲଙ୍କ ବିସ୍ଫୋରକ ଇନିଂସ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୨ୟ ଦିନିକିଆ ମ୍ୟାଚ୍‌ ଜିତିଛି ଭାରତୀୟ ଦଳ। ୨ ୱିକେଟରେ ଜିତି ଭାରତ ଶୃଙ୍ଖଳା ହାତେଇଛି। ରବିବାର ସୈ ହୋପ୍‌ଙ୍କ ଶତକ ଓ ନିକୋଲାସ୍ ପୁରନ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‌ ୫୦ ଓଭର ଶେଷରେ ୬ ୱିକେଟ ହରାଇ ୩୧୧ ରନ୍‌ କରିଥିଲା। ପରେ ଶ୍ରେୟାସ ଆୟର ଓ ସଞ୍ଜୁ ସାମ୍‌ସନଙ୍କ ଅର୍ଦ୍ଧଶତକ ପରେ ଅକ୍ଷର ପଟେଲଙ୍କ ବିଧ୍ବଂସୀ ଇନିଂସ ବଳରେ ୨ଟି ବଲ୍‌ ବାକିଥାଇ ୮ ୱିକେଟ ହରାଇ ଭାରତ ମ୍ୟାଚ ଜିତିଥିଲା । ଫଳରେ ୨-୦ରେ ଆଗୁଆ ରହି ଭାରତ ୩ ମ୍ୟାଚ୍‌ର ଶୃଙ୍ଖଳାକୁ ଜିତିନେଇଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏହା ଭାରତର କ୍ରମାଗତ ୧୨ଶ ଦିନିକିଆ ଶୃଙ୍ଖଳା ବିଜୟ। ପୁଣି ଇଣ୍ଡିଜ୍‌ ମାଟିରେ ଘରୋଇ ଦଳକୁ କ୍ରମାଗତ ୫ମ ଦିନିକିଆ ଶୃଙ୍ଖଳାରେ ଭାରତ ପରାସ୍ତ କରିଛି। କ୍ରମାଗତ ୮ମ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ପରାଜୟ ଭୋଗିଛି।
ଧିମାଗତିରେ ଭାରତ ୩୧୨ ରନ୍‌ର ପିଛା ଆରମ୍ଭ କରିଥିଲା। ଅଧିନାୟକ ଶିଖର ଧାୱନ ଜଗିରଖି ଖେଳିଥିବା ବେଳେ ଶୁବ୍‌ମାନ ଗିଲ୍‌ ଷ୍ଟ୍ରୋକ୍‌ ଖେଳିଥିଲେ। ୧୧ ଓଭରରେ ୪୮ ରନ୍‌ର ଭାଗିଦାରୀ ପରେ ଧାୱନ ଆଉଟ୍‌ ହୋଇଥିଲେ। ୩୧ ବଲ୍‌ରୁ ଧାୱନ ମାତ୍ର ୧୩ ରନ୍‌ କରିଥିଲେ। ୪୯ ବଲ୍‌ରୁ ୫ଟି ଚୌକା ସହ ୪୩ ରନ୍‌କରି ଗିଲ୍‌ ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଏକ ଛକାମାରିବା ପରେ ୯ ରନ୍‌କରି ଆଉଟ୍‌ ହୋଇଥିଲେ। ୭୯ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଶ୍ରେୟାସ ଆୟର ଓ ସଞ୍ଜୁ ସାମ୍‌ସନ ୪ର୍ଥ ୱିକେଟ ପାଇଁ ୯୯ ରନ୍‌ ଯୋଡ଼ିଥିଲେ। ଆୟର ୭୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୬୩ ରନ୍‌କରି ଆଉଟ୍‌ ହୋଇଥିଲେ। ୨ୟ ବ୍ୟାଟ୍‌ସମ୍ୟାନ ଭାବେ ଅର୍ଦ୍ଧଶତକ ମାରିଥିବା ସଞ୍ଜୁ ସାମ୍‌ସନ ରନ୍‌ଆଉଟ୍‌ ହେବା ଭାରତ ପାଇଁ ଶକ୍ତ ଧକ୍କା ଥିଲା। ସାମ୍‌ସନ ୫୧ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୪ ରନ୍‌ କରିଥିଲେ। ଦୀପକ ହୁଡା ୩୬ ବଲ୍‌ରୁ ୨ଟି ଚୌକା ସହ ୩୩ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଷ ୫ ଓଭରରୁ ୪୮ ରନ୍‌ ଆବଶ୍ୟକ ଥିବା ବେଳେ କ୍ରମାଗତ ୨ ଓଭରରେ ୨୯ ରନ୍‌ ହୋଇଥିଲା। ବିସ୍ଫୋରକ ବ୍ୟାଟିଂକରି ୨୭ ବଲ୍‌ରେ ଅକ୍ଷର ପଟେଲ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ଓଭରରେ ୮ ରନ୍‌ ଆବଶ୍ୟକ ଥିଲା। ଅକ୍ଷର ୩୫ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୬୪ ରନ୍‌କରି ଅପରାଜିତ ଥିଲେ। ଆଲ୍‌ଜାରି ଜୋସେଫ୍ ଓ କାଏଲ୍‌ ମେୟର୍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ୱେଷ୍ଟଇଣ୍ଡିଜ୍‌ ଟସ୍ ଜିତି ବ୍ୟାଟିଂ ନେବା ପରେ ଏହାର ଦୁଇ ଓପ୍‌ନର ସୈ ହୋପ୍‌ ଓ କାଏଲ୍‌ ମେୟର୍ସ ୯ ଓଭରରେ ୬୫ ରନ୍‌ ଯୋଡ଼ିଥିଲେ। ତେବେ ଦୀପକ ହୁଡା ବୋଲିଂ କରିବାକୁ ଆସି ପ୍ରଥମ ବଲ୍‌ରେ ୱିକେଟ ନେଇଥିଲେ। କାଏଲ୍‌ ମେୟର୍ସ ୨୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ। ସମାରା ବ୍ରୁକ୍‌ସ ୩୬ ବଲ୍‌ରୁ ୫ଟି ଚୌକା ସହ ୩୫ ରନ୍‌ କରିଥିଲେ। ବ୍ରାଣ୍ଡନ୍‌ କିଙ୍ଗ୍‌ ଖାତା ଖୋଲି ପାରିନଥିଲେ। ୧୩୦ ରନ୍‌ରେ ୩ଟି ୱିକେଟ ପଡ଼ିବା ପରେ ୪ର୍ଥ ୱିକେଟ ୱେଷ୍ଟଇଣ୍ଡିଜ୍‌ ପାଇଁ ଫଳପ୍ରସୂ ହୋଇଥିଲା। ସୈ ହୋପ୍‌ ଓ ଅଧିନାୟକ ନିକୋଲାସ୍ ପୁରନ୍‌ ୨୧ ଓଭରରେ ୧୧୭ ରନ୍‌ ଯୋଡ଼ିଥିଲେ। ବାମହାତି ପୁରନ୍‌ ୭୭ ବଲ୍‌ରୁ ୬ଟି ଛକା ଓ ଗୋଟିଏ ଚୌକା ସହ ୭୪ ରନ୍‌ କରିଥିଲେ। ରୋଭ୍‌ମ୍ୟାନ୍ ପୱେଲ ୧୩ ରନ୍‌ କରିଥିଲେ। ୪୯ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ସୈ ହୋପ୍‌ ୧୩୫ ବଲ୍‌ରୁ ୩ଟି ଛକା ଓ ୮ଟି ଚୌକା ସହ ୧୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହା ହୋପ୍‌ଙ୍କର ୧୩ଶ ଦିନିକିଅା ଶତକ। ସାର୍ଦୁଳ ଠାକୁର ୩ଟି ୱିକେଟ ନେଇଥିଲେ। ଦିନିକିଆ ପଦାର୍ପଣ କରିଥିବା ଆଭେସ୍‌ ଖାଁ ୬ ଓଭରରୁ ୫୪ ରନ୍‌ଦେଇ ୱିକେଟ ପାଇନଥିଲେ।

Related Articles

Back to top button