୩ୟ ଦିନିକିଆରେ ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ, ୨-୧ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ମଞ୍ଚେଷ୍ଟର: ଇଂଲଣ୍ଡ ମାଟିରେ ଭାରତର ବଡ଼ ବିଜୟ। ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ରବିବାର ଭାରତ ୩ୟ ତଥା ଶେଷ ଦିନିକିଆରେ ୫ ୱିକେଟ୍‌ରେ ମ୍ୟାଚ ଜିତିଛି। ଭାରତ ୨୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ୪୨.୧ ଓଭରରେ ୫ ୱିକେଟ୍‌ ହରାଇ ହାସଲ କରିଛି। ଭାରତୀୟ ଖେଳାଳିମାନେ ୨୬୧ ରନ୍‌ ସଂଗ୍ରହ କରିଛନ୍ତି। ଟିମ୍‌ ଇଣ୍ଡିଆର ୱିକେଟକିପର ବ୍ୟାଟର ଋଷଭ ପନ୍ତ ଶତକ ହାସଲ କରିଛନ୍ତି। ସେ ୧୧୩ଟି ବଲ୍‌ ଖେଳି ୧୬ଟି ଚୌକା ଓ ୨ଟି ଛକା ବଳରେ ଅପରାଜିତ ୧୨୫ ରନ୍‌ ସଂଗ୍ରହ କରିଛନ୍ତି। ଏଥି ସହିତ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଛି। ସୂଚନାଯୋଗ୍ୟ, ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ୧୦ ୱିକେଟରେ ବିଜୟୀ ହୋଇଥିଲା। ଜବାବରେ ୨ୟ ମ୍ୟାଚରେ ଇଂଲଣ୍ଡ ୧୦୦ ରନ୍‌ରେ ଭାରତକୁ ପରାସ୍ତ କରିଥିଲା।

ଆଜିର ମ୍ୟାଚରେ ଭାରତର ବିଜୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବଡ଼ ଯୋଗଦାନ ରହିଛି। ପାଣ୍ଡ୍ୟା ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ସେହିପରି ବ୍ୟାଟିଂ ପାଳିରେ ୫୫ଟି ବଲ୍‌ ଖେଳି ସେ ୭୧ ରନ୍‌ କରିଥିଲେ। ଏଥିରେ ସେ ୧୦ଟି ଚୌକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୧୭ ରନ୍‌, ଶିଖର ଧୱନ ୧ ରନ୍‌, ବିରାଟ କୋହଲି ୧୭ ରନ୍‌, ସୂର୍ଯ୍ୟକୁମାର ଯାଦବ ୧୬ ରନ୍‌ ଓ ରବୀନ୍ଦ୍ର ଜାଦେଜା ଅପରାଜିତ ୭ ରନ୍‌ ସଂଗ୍ରହ କରିଥିଲେ।

 

ଭାରତ  ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟିମ୍‌ ଇଣ୍ଡିଆ ଦମଦାର ବୋଲିଂ ବଳରେ ଇଂଲଣ୍ଡକୁ ୨୫୯ ରନ୍‌ରେ ଅଟକାଇଥିଲା। ଇଂଲଣ୍ଡ ୪୫.୫ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲା ବେଳେ ସ୍ବିନର ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ଦ୍ରୁତବୋଲର ମହମ୍ମଦ ସିରାଜଙ୍କୁ ୨ ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା।

ଭାରତୀୟ ଦଳ ଆଜି ଆରମ୍ଭରୁ ଭଲ ବୋଲିଂ କରିଥିଲେ। ଇଂଲଣ୍ଡର ସ୍କୋର ୧୨ ରନ୍‌ରେ ୨ଟି ୱିକେଟ୍‌ ନେଇଥିଲେ। ଓପନର ଜନି ବେୟାର‌ଷ୍ଟୋ ଓ ଜୋଏ ରୁଟ୍‌ ୩ଟି ଲେଖାଏଁ ବଲ୍‌ର ସମ୍ମୁଖୀନ ହୋଇ ଖାତା ନ ଖୋଲି ପାଭଲିଅନ୍‌ ଫେରିଯାଇଥିଲେ। କିନ୍ତୁ ତୃତୀୟ ୱିକେଟ୍‌ ପାଇଁ ଜସନ ରଏ ଓ ବେନ୍‌ ଷ୍ଟୋକ୍ସ ଧୈର୍ଯ୍ୟର ସହିତ ଖେଳି ୪୪ ରନ୍‌ର ଭାଗିଦାରୀ ହୋଇଥିଲେ ଜସନ ରଏ ବ୍ୟକ୍ତିଗତ ଭାବେ ୩୧ଟି ବଲ୍‌ ଖେଳି ୪୧ ରନ୍‌ କରିଥିଲେ। ଏଥିରେ ସେ ୭ଟି ଚୌକା ସାମିଲ କରିଥିଲେ। ଭାରତର ୪ର୍ଥ ଶିକାର ହୋଇଥିଲେ ବେନ୍‌ ଷ୍ଟୋକ୍ସ (୨୭)।

ଇଂଲଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ଜୋସ୍‌ ବଟଲର। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ବାରା ଆଉଟ୍‌ ହେବା ପୂର୍ବରୁ ୬୦ ରନ୍‌ କରିଥିଲେ। ୮୦ଟି ବଲ୍‌ ସାମ୍ନା କରି ବଟଲର ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଇଂଲଣ୍ଡ ପାଇଁ ମୋଇନ ଅଲି ୩୪ ରନ୍‌, ଲିଆମ ଲିଭିଂ ଷ୍ଟୋନ୍‌ ୨୭ ରନ୍‌, ଡେଭିଡ ୱିଲି ୧୮ ରନ୍‌, କ୍ରାଇଗ୍‌ ଓଭରଟନ୍‌ ୩୨ ରନ୍‌ ଓ ବ୍ରେଡନ୍‌ କର୍ସ ଅପରାଜିତ ୩ ରନ୍‌ ସଂଗ୍ରହ କରିଥିଲେ।

Related Articles

Back to top button