ଟି-୨୦ କ୍ରିକେଟ ବିଶ୍ଵକପ୍: ଜିମ୍ବାଓ୍ଵେକୁ ହରାଇ ଗ୍ରୁପ ୨ର ଶୀର୍ଷରେ ଭାରତ, ସେମିରେ ଇଂଲଣ୍ଡ ସହ ମୁକାବିଲା

ମେଲବର୍ଣ୍ଣ: ଟି-୨୦ ବିଶ୍ଵ କପ୍ ୨୦୨୨ର ସରିଲା ସୁପର ୧୨ ମୁକାବିଲା। ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୭୧ ରନରେ ହରାଇ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଭାରତ ସେମି ଫାଇନାଲ୍‌ରେ ଗ୍ରୁପ-୧ର ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ। ସୁର୍ଯ୍ୟକୁମାର ଯାଦବଙ୍କ ୬୧ ରନର ବିସ୍ଫୋରକ ଇନିଂସ ଏବଂ କେଏଲ ରାହୁଲଙ୍କ ୫୧ ରନ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଜିମ୍ବାଓ୍ଵେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଭାରତୀୟ ବୋଲରଙ୍କ  ଉଚିତ୍ ମୁକାବିଲା କରିନପାରି ଜିମ୍ବାଓ୍ଵେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଜିମ୍ବାଓ୍ଵେ ବ୍ୟାଟର। ସିକନ୍ଦର ରାଜା(୩୪) ଏବଂ ରିୟାନ ବୁର୍ଲ(୩୫) ରନ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଫଳରେ ପାକିସ୍ତାନକୁ ହରାଇ କ୍ରିକେଟ୍ ଜଗତରେ ଚହଳ ପକାଇଥିବା ଜିମ୍ବାଓ୍ଵେ ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୪ ଓଭରରେ ୨୨ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ମହମ୍ମଦ ଶାମି ୧୪ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ ଦେଇ ଯଥାକ୍ରମେ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲ୍ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

ଆଜି ଭାରତ ପ୍ରଥମ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲେ ବି ୩.୫ ଓଭର ଖେଳ ବେଳେ ଦଳର ପ୍ରଥମ ୱିକେଟ୍ ଖସିଥିଲା। ଆଜି ପୁଣି ଫେଲ୍ ମାରିଥିଲେ ରୋହିତ ଶର୍ମା(୧୫)। ଦଳୀୟ ସ୍କୋର ସ୍କୋର ୨୭ ରନ ବେଳେ ରୋହିତଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା ଭାରତ। ଏହାପରେ ବିରାଟ କୋହଲି ଓ କେଏଲ୍‌ ରାହୁଲ ଦୁହେଁ ମିଶି ବଡ଼ ରକ୍ଷଣାତ୍ମକ ଶୈଳୀରେ ଦଳର ଖେଳ ସମ୍ଭାଳିଥିଲେ। ୧୦ ଓଭର ଖେଳ ଶେଷ ବେଳକୁ ଭାରତ ୭.୯ ରନ୍ ହାରରେ ମୋଟ ୭୯ ରନ୍ କରିଥିଲା।

ହେଲେ ୧୧.୫ ବଲରେ ବିରାଟ କୋହଲି(୨୬) ଦ୍ରୁତ ଗତିରେ ରନ୍ କରିବା ଚକ୍କରେ ବଡ ସଟ୍ ମାରି ଆଉଟ ହୋଇଥିଲେ। ଦଳର ସ୍କୋର ୮୯ ବେଳେ ୨ଟି ୱିକେଟ୍ ହରାଇଥିଲା ଭାରତ। ଏପଟେ କେଏଲ ରାହୁଲ(୫୧) ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ଛକ୍କା ମାରି ଅର୍ଦ୍ଧଶତକ ହାସଲ କରିବା ପରେ ସେ ପରବର୍ତ୍ତୀ ବଲ୍‌ରେ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୯୫ ବେଳେ ଟିମ୍ ଇଣ୍ଡିଆ ତୃତୀୟ ୱିକେଟ୍ ହରାଇଥିଲା।

ଏହାପରେ ବିରାଟଙ୍କ ଜାଗାରେ ଆସିଥିବା ପନ୍ତ(୩) ବି ସଙ୍ଗେ ସଙ୍ଗେ ଆଉଟ୍ ହୋଇଯାଇଥିଲେ। ପନ୍ତ ଆଉଟ୍ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ଜାରି ରଖିଥିଲେ। ୧୫ ଓଭର ଶେଷ ବେଳକୁ ଦଳ ୩ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା।   ଏହାପରେ ଦୁଇ ବ୍ୟାଟ୍ସମ୍ୟାନ୍‌ ମିଶି ଛକ୍କା ଚୌକା ବର୍ଷା କରିଥିଲେ। ଦଳ ୧୯ ଓଭରରେ ୪ ୱିକେଟ ହରାଇ ୧୬୫ ରନ୍ କରିଥିଲା। ଶେଷ ଓଭର ୨ୟ ବଲ୍‌ରେ ୧୮ ରନ୍ କରି ଆଉଟ୍ ହୋଇଥିଲେ ହାର୍ଦ୍ଦିକ୍ ପାଣ୍ଡ୍ୟା। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ। ହେଲେ ସୂର୍ଯ୍ୟ କୁମାର ଯାଦବଙ୍କ ଧୂଆଁଦାର ବ୍ୟାଟିଂ ଆଗରେ ଜିମ୍ୱାୱେର ବୋଲର ଫେଲ୍ ମାରିଥିଲେ। ସେ ମାତ୍ର ୨୫ ବଲ୍‌ରେ ଧୂଆଁଦାର ୬୨ ରନ୍‌ କରି ନଟ୍‌ଆଉଟ୍ ରହିଛନ୍ତି। ଫଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର ଖେଳି ୫ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା।

Related Articles

Back to top button