ଜୁନିୟର ୱାର୍ଲ୍ଡ ରେସଲିଂରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଅନ୍ତିମ
ସୋଫିଆ: ବୁଲଗେରିଆର ସୋଫିଆରେ ଅନୁଷ୍ଠିତ ଜୁନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅନ୍ତିମ ଫଙ୍ଗଲ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ୫୩ କିଗ୍ରା ବିଭାଗରେ ସେ କାଜକସ୍ତାନର ଆଲଟନ ଶାଗାୟେଭାଙ୍କୁ ୮-୦ରେ ପରାସ୍ତ କରି ୩୪ ବର୍ଷ ଇତିହାସରେ ପ୍ରଥମ ଭାରତୀୟ ଭାବେ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି କ୍ୱାର୍ଟରରେ ଜର୍ମାନୀ ଏବଂ ସେମିଫାଇନାଲରେ ଜାପାନୀ ରେସଲରଙ୍କୁ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ । ଭାରତୀୟ ଜୁନିୟର ଟିମ ୧୬୦ ପଂଏଟ ସହ ରନର୍ସଅପ ଟ୍ରଫି ହାସଲ କରିଛି । ଜାପାନ ୨୩୦ ପଂଏଟ ଏବଂ ଆମେରିକା ୧୨୪ ପଂଏଟ ସହ ଯଥାକ୍ରମେ ପ୍ରଥମ ଏବଂ ତୃତୀୟ ସ୍ଥାନରେ ରହିଥିଲେ । ଭାରତ ପକ୍ଷରୁ ଅନ୍ତିମଙ୍କ ବ୍ୟତୀତ ୬୨ କିଗ୍ରାରେ ସୋନମ ରୌପ୍ୟ, ୬୫ କିଗ୍ରାରେ ପ୍ରିୟଙ୍କା ରୌପ୍ୟ, ୫୭ କିଗ୍ରାରେ ସିଟୋ ବ୍ରୋଞ୍ଜ, ୭୨ କିଗ୍ରାରେ ରିତିକା ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିଲେ । ବିଭିନ୍ନ ମହଲରୁ ଅନ୍ତିମଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।