ଦଳାଚକଟା ଯୋଗୁ ୧୩୩ ଦର୍ଶକ ପ୍ରାଣ ହରାଇଥିବା ଫୁଟବଲ ଷ୍ଟାଡିୟମ ଭଙ୍ଗାଯିବ

ଜାକାର୍ତ୍ତା: ନିକଟରେ ଇଣ୍ଡୋନେସିଆର ଏକ ଫୁଟବଲ ଷ୍ଟାଡିୟମରେ ଦଳାଚକଟା ହେବାରୁ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏବେ ଏହି ଷ୍ଟାଡିୟମକୁ ଭାଙ୍ଗିଦେବା ଲାଗି ପ୍ରସ୍ତୁତି ଚଳାଯାଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଏହି ଷ୍ଟାଡିୟମକୁ ଭାଙ୍ଗି ନୂଆକରି ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଯେପରି ଏଠାରେ ପୁଣି କେବେ ଏଭଳି ଦଳାଚକଟା ଘଟଣାର ପୁନରାବୃତ୍ତି ନ ହୁଏ ବୋଲି  ସେ କହିଛନ୍ତି। ଫିଫା ପ୍ରେସିଡେଣ୍ଟ ଇମ୍ଫେଣ୍ଟିନୋଙ୍କୁ ଭେଟିବା ପରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଷ୍ଟାଡିୟମ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି ଯେ ମଲଙ୍ଗସ୍ଥିତ ଏହି ଷ୍ଟାଡିୟମକୁ ଭାଙ୍ଗି ଦେଇ ଫିଫା ମାନକ ଅନୁସାରେ ନୂଆ ଷ୍ଟାଡିୟମ ନିର୍ମାଣ କରିବେ। ଇଣ୍ଡୋନେସିଆର ଫୁଟବଲକୁ ସମ୍ପୂର୍ଣ୍ଣ ବଦଳାଇବା ପାଇଁ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଠାରେ ଏବେ ଫୁଟବଲ ସମ୍ପର୍କିତ ପ୍ରତ୍ୟେକ ଜିନିଷ ଫିଫା ଅନୁସାରେ ତିଆରି ହେବ ବୋଲି ସେ କହିଛନ୍ତି। ଫିଫା ପ୍ରେସିଡେଣ୍ଟ କହିଛନ୍ତି ଯେ ଦକ୍ଷିଣପୂର୍ବ ଏସିୟ ଦେଶମାନଙ୍କରେ ଖେଳାଳି ଓ ଫ୍ୟାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ।

ଏଥିରେ ଇଣ୍ଡୋନେସିଆ ଏକ ଫୁଟବଲ ପ୍ରିୟ ଦେଶ। ଇଣ୍ଡୋନେସିଆର ୧୦ ନିୟୁତ ଲୋକଙ୍କ ଫୁଟବଲ ପ୍ରତି ଦୁର୍ବଳତା ରହିଛି। ଫୁଟବଲ ଏହି ଲୋକଙ୍କ ପ୍ୟାସନ ପାଲଟିଛି। ଏଣୁ ଏମାନେ ଯେତେବେଳେ ଫୁଟବଲ ଖେଳ ଦେଖିବାକୁ ଆସିବେ ସେମାନଙ୍କ ଯେପରି ସୁରକ୍ଷିତ ଅନୁଭବ କରିବେ ତାହା ଆମକୁ ସୁନିଶ୍ଚିତ କରିବାକୁ ପଡିବ ବୋଲି ଫିଫା ପ୍ରେସିଡେଣ୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧ ତାରିଖ ଦିନ ମଲଙ୍ଗ ଷ୍ଟାଡିୟମରେ ଫୁଟବଲ ଖେଳ ଚାଲିଥିବା ବେଳେ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ଘଟଣା ଲାଗି ପୋଲିସକୁ ଦାୟି କରାଯାଇଥିଲା। ପୋଲିସ ଷ୍ଟାଡିୟମରେ ଲୁହବୁହା ବାସ୍ପ ପ୍ରୟୋଗ କରିବା ଯୋଗୁ ଲୋକେ ଦଉଡାଧାପଡା କରିଥିଲେ। ଫଳରେ ୧୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।  ଆସନ୍ତା ବର୍ଷ ଇଣ୍ଡୋନେସିଆ ଅଣ୍ଡର-୨୦ ୱାର୍ଲଡ କପ୍‌ ଆୟୋଜନ କରିବ। ଏଣୁ ଏହି ଘଟଣା ଏବେ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଇଛି।

Related Articles

Back to top button