ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଓନ ମୋର୍ଗାନ

ଲଣ୍ଡନ: ସମସ୍ତ ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଓନ ମୋର୍ଗାନ। ମଙ୍ଗଳବାର ସେ ସମସ୍ତ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି। ୩୫ ବର୍ଷୀୟ ଏହି କ୍ରିକେଟର ଫର୍ମ ଏବଂ ଫିଟ୍‌ନେସ ଜନିତ ସମସ୍ୟାକୁ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଇଂଲଣ୍ଡ କ୍ରିକେଟ ବୋର୍ଡକୁ ମୋର୍ଗାନ ଦେଇଥିବା ବିବୃତ୍ତିରେ କହିଛନ୍ତି, ବହୁତ କିଛି ଭାବିବା ପରେ ଓ ଆଲୋଚନା କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ମୋ କ୍ୟାରିୟରର ସବୁଠାରୁ ପସନ୍ଦର ଜିନିଷକୁ ଛାଡ଼ିବା ମୋ ପାଇଁ ଆଦୌ ସହଜ ନ ଥିଲା। କିନ୍ତୁ ମୁଁ ଭାବିଲି ଯେ ସନ୍ୟାସ ନେବା ପାଇଁ ଏହା ହିଁ ଉପଯୁକ୍ତ ସମୟ। ମୋ ପାଇଁ ଓ ଇଂଲଣ୍ଡର ସୀମିତ ଓଭର ଟିମ ପାଇଁ ଏହା ଏକ ଭଲ ନିଷ୍ପତ୍ତି ବୋଲି ସେ କହିଛନ୍ତି। ସେହିଭଳି ଇସିବି ମଧ୍ୟ ଟୁଇଟ କରି ମୋର୍ଗାନ ଦିନିକିଆ ବିଶ୍ୱକପ ଉଠାଇବା ବେଳର ଫଟୋ ପୋଷ୍ଟ କରିଛି। ଏଥିସହ ବାର୍ତ୍ତା ଦେଇ କହିଛି, ‘ତୁମେ ଇଂଲଣ୍ଡ କ୍ରିକେଟକୁ ସବୁଦିନ ପାଇଁ ବଦଳାଇ ଦେଇଛି। ତୁମେ ଜଣେ ଉଦ୍ଭାବକ ଓ ଜଣେ ଚମ୍ପିୟନ। ତୁମର ଲିଗାସି ଜାରି ରହିବ। ଧନ୍ୟବାଦ ମୋର୍ଗାନ।’

ପ୍ରକାଶ ଯେ, ୨୦୦୬ରେ ସେ ଆୟର୍ଲାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୨୦୦୬ରୁ ୨୦୦୯ ଯାଏ ସେ ୨୩ ମ୍ୟାଚ୍‌ ଖେଳିବା ପରେ ୨୦୧୦ରେ ତାଙ୍କୁ ଇଂଲଣ୍ଡ ଟିମ୍‌ରେ ସ୍ଥାନ ମିଳିଥିଲା। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଦୁଇ ଦେଶ ଲାଗି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିଥିଲେ। ତେବେ ତାଙ୍କ ୭ ବର୍ଷର ଅଧିନାୟକତ୍ୱ କାର୍ଯ୍ୟକାଳରେ ସେ ଧଳା ବଲ୍‌ କ୍ରିକେଟରେ ବିପ୍ଲବ ଆଣିଥିଲେ। ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱକପ୍‌ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା। ଏହାପରଠାରୁ ସେ ନିଜର ଫିଟନେସ ଓ ଫର୍ମକୁ ନେଇ ସଂଘର୍ଷ କରୁଥିଲେ।

Related Articles

Back to top button