
‘ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ହେବି ବୋଲି ମୁଁ କେବେ ଭାବି ନ ଥିଲି’ : ପି.ଟି. ଉଷା
ନୂଆଦିଲ୍ଲୀ : କିମ୍ବଦନ୍ତୀ ଧାବିକା ପି.ଟି. ଉଷା ବିଧିବଦ୍ଧ ଭାବେ ଶନିବାର ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ପରବର୍ତ୍ତୀ ସଭାପତି ଭାବେ ନିର୍ବାଚିତ ହେଇଛନ୍ତି । ପ୍ରଥମ ମହିଳା ଭାବେ ସେ ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ହୋଇଛନ୍ତି । ଯଦିଓ ପି.ଟି. ଉଷା ଆଇଓଏର ସଭାପତି ହେବା ଥୟ ହୋଇଥିଲା। ତେବେ ଆଜି ଆଇଓଏର ନିର୍ବାଚନର ଦିନ ଥିଲା। ପ୍ରାର୍ଥୀପତ୍ର ଦାଖଲ ସମୟରେ ଉଷାଙ୍କୁ ଛାଡ଼ି ଅନ୍ୟ କେହି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ଫଳରେ ଦୌଡ଼ରାଣୀ ପି.ଟି. ଉଷା ନିର୍ଦ୍ବନ୍ଦ୍ବରେ ଆଇଓଏ ସଭାପତି ନିର୍ବାଚିତ ହେବା ସ୍ଥିର ହୋଇଥିଲା। ଯାହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ପି.ଟି. ଉଷା ଆଇଓଏର ସଭାପତି ଭାବେ ନିର୍ବାଚିତ ହେବା ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ‘ ମୁଁ କେବେ ମଧ୍ୟ ଜଣେ ସାଂସଦ ଓ ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ହେବି ବୋଲି ଭାବି ନ ଥିଲି।’ ସେ କହିଛନ୍ତି,‘ମୋର ସାରା ଜୀବନରେ ମୁଁ କ୍ରୀଡା ବିନା ମାତ୍ର ୧୩ ବର୍ଷ ବଞ୍ଚିଥିଲି। ଅନ୍ୟଥା ମୁଁ ଜଣେ ଆଥଲେଟ୍, କୋଚ୍ ଏବଂ ପ୍ରଶାସକ ଭାବରେ ବିଭିନ୍ନ ଭୂମିକାରେ ରହିଆସୁଥିଲି। ଆଇଓଏର ଶୀର୍ଷ ପଦବୀକୁ ନିର୍ବାଚିତ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।
ସୂଚନା ଯୋଗ୍ୟ ‘ପାୟୋଲି ଏକ୍ସପ୍ରେସ୍‘ ଭାବେ ପରିଚିତ ୫୮ ବର୍ଷ ବୟସ୍କା ପି.ଟି. ଉଷା ଦେଶର ସଫଳ ମହିଳା ଆଥ୍ଲେଟ୍ । ଏସୀୟ କ୍ରୀଡ଼ାରେ ୪ଟି ସ୍ବର୍ଣ୍ଣ ଓ ୮ଟି ରୌପ୍ୟପଦକ ଜିତିଥିବା ଉଷା ୧୯୮୪ ଅଲିମ୍ପିକ୍ସରେ ୪୦୦ ମିଟର ହର୍ଡଲ୍ସ ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।