ପରବର୍ତ୍ତୀ ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି ପୂର୍ବତନ ବରିଷ୍ଠ ଖେଳାଳି ରୋଜର ବିନ୍ନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷକୁ ନେଇ ଶୀଘ୍ର ଘୋଷଣା ହୋଇପାରେ। ଏ ନେଇ ଗୁରୁବାର ବୋର୍ଡର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଦିଲ୍ଲୀରେ ଆୟୋଜିତ ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହ, ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନ, କୋଷାଧ୍ୟକ୍ଷ ଅରୁଣ ଧୁମଲ, ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ୍ ସମେତ ଅନେକ ବଡ ଅଧିକାରୀ ଉପସ୍ଥିତ ଥିଲେ।

ଏମିତିରେ ଗାଙ୍ଗୁଲି ନିଜର ପଦ ଛାଡିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି ଏବଂ ବୋର୍ଡକୁ ନୂତନ ଅଧ୍ୟକ୍ଷ ମିଳିପାରେ। ତେବେ ଅଧ୍ୟକ୍ଷ ହେବା ଦୌଡରେ ଜୟ ଶାହଙ୍କ ନାମ ନାହିଁ। ଏଥିରେ ସାମିଲ୍ ଜଣେ ବିଶ୍ଵ ଚାମ୍ପିଅନ ଖେଳାଳିଙ୍କ ନାମ। ଏଏନଆଇ ଅନୁଯାୟୀ, ୧୯୮୩ ବିଶ୍ଵ କପ୍ ବିଜେତା ଦଳର ସଦସ୍ୟ ପୂର୍ବତନ ବରିଷ୍ଠ ଖେଳାଳି ରୋଜର ବିନ୍ନି ଗାଙ୍ଗୁଲିଙ୍କ ସ୍ଥାନରେ ବିସିସିଆଇର ଅଧ୍ୟକ୍ଷ ହୋଇ ପାରନ୍ତି। ସେ ଏହି ଦୌଡରେ ବର୍ତ୍ତମାନ ଆଗରେ ଅଛନ୍ତି। ଶୀଘ୍ର ଏହା ଉପରେ ଆନୁଷ୍ଠାନିକ ମୋହର ଲାଗିପାରେ।

ଚଳିତ ମାସରେ ସରୁଛି ଗାଙ୍ଗୁଲିଙ୍କ କାର୍ଯ୍ୟକାଳ

ଗାଙ୍ଗୁଲି ୨୦୧୯ ଅକ୍ଟୋବର ୨୩ରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଅକ୍ଟୋବର ୨୪ରେ ଜୟ ଶାହ ସଂପାଦକ ଦାୟିତ୍ଵ ଗ୍ରହଣ କରିଥିଲେ। ଉଭୟଙ୍କ କାର୍ଯ୍ୟକାଳ ୨୦୨୨ ଅକ୍ଟୋବରରେ ସରୁଛି। ନିକଟରେ ସୁପ୍ରିମକୋର୍ଟର ମଞ୍ଜୁରୀ କ୍ରମେ ବିସିସିଆଇ ସଂପର୍କିତ ସମ୍ବିଧାନର ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ୬ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବିସିସିଆଇର ଅଧ୍ୟକ୍ଷ  ପଦରେ ରହି ପାରିବେ। ତେଣୁ ଗାଙ୍ଗୁଲି ଏବଂ ଶାହ ଉଭୟ ନିଜର କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଜାରି ରଖି ପାରିବେ। ମାତ୍ର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲି ନିଜ ପଦ ଛାଡିବାକୁ ଯାଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ଲାଗି ପରବର୍ତ୍ତୀ ନିର୍ବାଚନ ଲଢିବେ ନାହିଁ। ଜୟ ଶାହ ସଂପାଦକ ପଦ ପାଇଁ ଆବେଦନ କରି ପାରନ୍ତି। ଗାଙ୍ଗୁଲିଙ୍କ ପରେ ରୋଜର ବିନ୍ନି ବିସିସିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହେବାର ସମ୍ଭାବନା ଅଧିକ ରହିଛି। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ପଦ ପାଇଁ ଆବେଦନ କରି ପାରନ୍ତି।

Related Articles

Back to top button