ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡିଲେ ରୋହିତ ଶର୍ମା, ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଆଜବେଷ୍ଟନରେ ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଜୋରଦାର ଝଟକା। ଏକମାତ୍ର ଟେଷ୍ଟରୁ ବାଦ୍ ପଡିଛନ୍ତି ରୋହିତ ଶର୍ମା। ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ରୋହିତ ଲିସେଷ୍ଟାୟର ବିପକ୍ଷ ଅଭ୍ୟାସ୍ ମ୍ୟାଚରେ କରୋନା ସଂକ୍ରମିତ ହୋଇଥିଲେ। ସେ ପୂରା ମ୍ୟାଚ୍ ଖେଳି ପାରିନଥିଲେ। ସେହି ଦିନଠୁ ସେ ସଙ୍ଗରୋଧରେ ଥିଲେ।

ବିସିସିଆଇ ସୂତ୍ର ଅନୁଯାୟୀ, କୋଭିଡ୍-୧୯ ପଜିଟିଭ୍ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ପଞ୍ଚମ ଟେଷ୍ଟ ପୂର୍ବରୁ ସୁସ୍ଥ ହୋଇ ପାରିବେ ନାହିଁ। ତେଣୁ ସେ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି। ବୁଧବାର ବିସିସିଆଇ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି। ମଇଦାନରେ ଦଳ ମିଟିଂରେ ଯଶପ୍ରୀତ ବୁମରା ଏବଂ ବାକି ଖେଳାଳିଙ୍କୁ ଏହାର ସୂଚନା ଦିଆଯାଇଛି। ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ରୋହିତଙ୍କ ରିପୋର୍ଟ ପୁନର୍ବାର ପଜିଟିଭ୍ ଆସିଛି କି ନାହିଁ। ସଂପ୍ରତି ସେ ଆଇସୋଲେସନରେ ଅଛନ୍ତି। ଦୁଇଟି ନେଗେଟିଭ୍ ଆରଟି ପିସିଆର ଟେଷ୍ଟ ପରେ ଆଇସୋଲେସନରୁ ବାହାରିବେ ରୋହିତ ଶର୍ମା।

ଚୟନ କମିଟିର ମୁଖ୍ୟ ଚେତନ ଶର୍ମା ବର୍ମିଂଘମ ପହଞ୍ଚିବା ପରେ ରୋହିତଙ୍କୁ ନେଇ ଏମିତି ନିଷ୍ପତ୍ତି ନିଆଯାଇଛି। ସେ ଦଳ ସହିତ ଆୟରଲାଣ୍ଡ ଗସ୍ତରେ ଥିଲେ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଚୟନ କମିଟିର ମୁଖ୍ୟ ଚେତନ ଶର୍ମାଙ୍କ ସହ ଆଲୋଚନା ପରେ ଏହା ସ୍ଥିର ହୋଇଛି ଯେ, ବୁମରା ଇଂଲଣ୍ଡ ବିପକ୍ଷ ବର୍ମିଂଘମ ଟେଷ୍ଟରେ ଭାରତର ନେତୃତ୍ଵ ନେବେ।

Related Articles

Back to top button