ଏସିଆ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ କମିଟି ଭାରତୀୟ କ୍ରିକେଟ୍‌ର ବଡ଼ ତାରକାମାନଙ୍କୁ ବାଦ୍‌ଦେବାକୁ ଯାଉଛି।

ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଘୋଷଣା ଅଗଷ୍ଟ ୧୯ରେ କରାଯିବ। ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଅଜିତ ଆଗରକର ନେତୃତ୍ବାଧୀନ ମନୋନୟନ କମିଟି କିଛି ଚକିତକର ନିଷ୍ପତ୍ତି ନେବାକୁ ଯାଉଛନ୍ତି। କମିଟି ଭାରତୀୟ କ୍ରିକେଟ୍‌ର ବଡ଼ ତାରକାମାନଙ୍କୁ ବାଦ୍‌ଦେବାକୁ ଯାଉଛି। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଥିଲେ ଯେ ଆଇପିଏଲ୍‌ ପ୍ରଦର୍ଶନ ଭିତ୍ତିରେ ଟି୨୦ ଦଳ ମନୋନୟନ କରାଯିବ। ଏହାସତ୍ତ୍ବେ ମନୋନୟନକାରୀ ଆଇପିଏଲ୍‌ ପ୍ରଦର୍ଶନକାରୀଙ୍କୁ ଉପେକ୍ଷା କରିବାକୁ ଯାଉଛନ୍ତି। ବ୍ୟାଟ୍‌ସମ୍ୟାନ ଭାବେ ଅଭିଷେକ ଶର୍ମା ଓ ତିଳକ ବର୍ମା, ଶୁଭମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ଦଳରେ ରହିପାରନ୍ତି।

ଗତ କିଛି ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଭାରତ ଖେଳିଥିବା ଦଳରେ ବ୍ୟାଟ୍‌ସମ୍ୟାନ ଭାବେ ସାମିଲ ହୋଇପାରନ୍ତି ଶୁଭମନ ଗିଲ୍‌। ଭାରତୀୟ ବ୍ୟାଟିଂ ଲାଇନ୍‌ରେ ଏହା ଏକମାତ୍ର ପରିବର୍ତ୍ତନ ହେବ। ଆଇପିଏଲ୍‌ରେ ଶୁଭମନ ଗିଲ୍‌ ୫୦ ଆଭ୍‌ରେଜ ଓ ୧୫୦ରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ୬୫୦ ରନ୍‌ କରିଥିଲେ। ତେବେ ଗତ ୧୫ରୁ ୧୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିଥିବା ଦଳରେ ପରିବର୍ତ୍ତନ ନ କରିବାକୁ ଯଦି ମନୋନୟକାରୀ ଚାହାନ୍ତି; ତେବେ ରିୟାନ ପରାଗ ଦଳରେ ରହିବେ। ଯଶସ୍ବୀ ଜୟସୱାଲଙ୍କୁ ମଧ୍ୟ ସ୍ଥାନ ମିଳିବ ନାହିଁ। ଏହାସହ ଶେୟସ ଆୟରଙ୍କ ନାମର ଚର୍ଚ୍ଚା ହେଉଥିଲେ ହେଁ ତାଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ଏସିଆ କପ୍‌ ପରି ଟୁର୍ଣ୍ଣାମେଣ୍ଟରେ ଗିଲ୍‌ଙ୍କୁ ଯେକୌଣସି ଅଧିନାୟକ ଚାହିଁବେ। ଯଶସ୍ବୀ ଜୟସୱାଲଙ୍କ ବ୍ୟାଟିଂ ଗିଲ୍‌ଙ୍କ ବ୍ୟାଟିଂ ଅପେକ୍ଷା ଟ୍ବେଣ୍ଟି୨୦ରେ ଅଧିକ ସୁହାଇବ। ତେବେ ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ ଅଭିଷେକ ଶର୍ମାଙ୍କ ସ୍ଥାନରେ କାହାରିକୁ ଖେଳାଇବାକୁ ମନୋନୟନ କମିଟି ଚାହିଁବ ନାହିଁ। ୱିକେଟ୍‌ ରକ୍ଷକ ବାଛିବା ପାଇଁ ମନୋନୟନକାରୀଙ୍କୁ ବେଶି ଚିନ୍ତା କରିବାକୁ ପଡ଼ିବ ନାହିଁ।

ଟ୍ବେଣ୍ଟି୨୦ ଦଳର ଓପ୍‌ନର ଭାବେ ସଞ୍ଜୁ ସାମ୍‌ସନ ଭଲ ପ୍ରଦର୍ଶନ କରୁଛନ୍ତି। ପୁଣି ଅତିରିକ୍ତ ୱିକେଟ୍‌ ରକ୍ଷକ ଭାବେ ଜିତେଶ ଶର୍ମା ଖେଳିବେ। ଫଳରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ ନାହିଁ। ଅଲ୍‌ରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ୍ ଦୁବେ ଓ ୱାଶିଂଟନ ସୁନ୍ଦର ରହିବା ନିଶ୍ଚିତ। ନୀତୀଶ କୁମାର ରେଡ୍‌ଡୀଙ୍କ ନାମର ଚର୍ଚ୍ଚା ହେବ ନିଶ୍ଚୟ। ହେଲେ ତାଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍‌। ପେସ୍‌ ବୋଲର ବାଛିବା ପାଇଁ କମିଟିକୁ ବେଶି ଝାଳ ବୁହାଇବାକୁ ପଡ଼ିବ ନାହିଁ। ଦଳର ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା ଯଶପ୍ରୀତ ବୁମ୍‌ରା ଏସିଆ କପ୍ ଖେଳିବେ ବୋଲି ମନୋନୟନକାରୀଙ୍କୁ କହିବା ପରେ ସେ ୧୫ ଜଣିଆ ଦଳରେ ରହିବା ନିଶ୍ଚିତ। ତାଙ୍କ ନୂଆ ବଲ୍‌ ଯୋଡ଼ି ଭାବେ ବାମହାତି ଅର୍ଶଦୀପ ସିଂହ ରହିବେ। ତେଣୁ ମହମ୍ମଦ ସିରାଜ୍‌ ଓ ପ୍ରସିଦ୍ଧ କୃଷ୍ଣଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବ। ଆଇପିଏଲ୍‌ରେ ସିରାଜ୍‌ ଅଧିକ ରନ୍‌ ଦେବା ସହ ୧୫ଟି ୱିକେଟ୍‌ ନେଇଥିଲେ। ତେଣୁ ୨୫ଟି ୱିକେଟ୍‌ ନେଇଥିବା ପ୍ରସିଦ୍ଧ କୃଷ୍ଣଙ୍କୁ ସୁଯୋଗ ମିଳିପାରେ। ଏକମାତ୍ର ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀ ଦଳରେ ରହିବା ନିଶ୍ଚିତ।

Related Articles

Back to top button