ପିସିବି ଅଧ୍ୟକ୍ଷ ପଦରୁ ରମିଜ ରାଜା ବିଦା ହେବା ପରେ ଶାହିଦ ଆଫ୍ରିଦିଙ୍କୁ ଗୁରୁ ଦାୟିତ୍ୱ

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶନିବାର ବଡ଼ ଘୋଷଣା କରିଛି। ପିସିବି ଅଧ୍ୟକ୍ଷ ପଦରୁ ରମିଜ ରାଜା ବିଦା ହେବା ପରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି। ଏହିକ୍ରମରେ ପାକିସ୍ତାନ ଟିମ୍‌ର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ ଗୁରୁ ଦାୟିତ୍ୱ ମିଳିଛି।

ତାଙ୍କୁ ପିସିବି ଜାତୀୟ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ସେ ଏହି ୪ ଜଣିଆ କମିଟିର ନେତୃତ୍ୱ ନେବେ। ଆଫ୍ରିଦିଙ୍କ ବ୍ୟତୀତ ଚୟନ କମିଟିରେ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ, ରାଓ ଇଫତିକାର ଅଞ୍ଜୁମ ଓ ଆବାହକ ହାରୁନ ରଶିଦ ରହିଛନ୍ତି।

ଏହି ନିଯୁକ୍ତି କେବଳ ଡିସେମ୍ବର ୨୬ରୁ ଆରମ୍ଭ ହେଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ମିଳିଛି। ଅର୍ଥାତ ଆଫ୍ରିଦିଙ୍କ ନେତୃତ୍ୱାଧୀନ କମିଟି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଖେଳାଳିଙ୍କ ନାଁ ବାଛିବ। ୨୬ ତାରିଖରୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କରାଚିରେ ଆରମ୍ଭ ହେବ। ଏଥିପାଇଁ ମହମ୍ମଦ ୱାସିମଙ୍କ ନେତୃତ୍ୱାଧୀନ ଚୟନ କମିଟି ପୂର୍ବରୁ ଖେଳାଳିଙ୍କ ନାଁ ଘୋଷଣା କରି ସାରିଥିଲା। ହେଲେ ଏବେ ପିସିବି ଆଫ୍ରିଦି ଆଣ୍ଡ କୋଙ୍କୁ ଏହାର ସମୀକ୍ଷା କରିବାକୁ କହିଛି।

ୱାସିମଙ୍କ କଣ୍ଟ୍ରାକ୍ଟକୁ କିଛି ଦିନ ତଳେ ପିସିବିର ନୂଆ ମୁଖିଆ ନଜମ ସେଠୀ ବାତିଲ କରି ଦେଇଥିଲେ। ସେହିପରି ୨୦୧୯ରୁ ଗଠନ ହୋଇଥିବା ସବୁ କମିଟିକୁ ମଧ୍ୟ ସେ ଭାଙ୍ଗି ଦେଇଥିଲେ। ଏବେ ସେ ଆଫ୍ରିଦିଙ୍କୁ ଜାତୀୟ ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଆଫ୍ରିଦି ମଧ୍ୟ ନୂଆ ନିଯୁକ୍ତି ପାଇ ବେଶ ଉତ୍ସାହିତ ରହିଥିବା କହିଛନ୍ତି।

Related Articles

Back to top button