ଗୋଟିଏ ହାତରେ କ୍ୟାଚ୍ ଧରିଲେ ସିମରନ୍ ହେଟମାୟର

ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ଓ୍ୱେଷ୍ଟ୍ ଇଣ୍ଡିଜ ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ୍ ଖେଳାଯାଉଛି । ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ୧୩ ରନରେ ବିଜୟ ହାସଲ କରିଛି ।

ଏହାମଧ୍ୟରେ ଇଣ୍ଡିଜ ଷ୍ଟାର୍ ବ୍ୟାଟର ସିମରନ୍ ହେଟମାୟର ନିଜ ଦମଦାର ଫିଲ୍ଡିଂ ପ୍ରଦର୍ଶନ କରିଛନ୍ତି । ଯାହା ଦେଖିବା ପରେ ସମସ୍ତେ ପ୍ରଶଂସା କରୁଛନ୍ତି । ସେ ବାଉଣ୍ଡରୀ ଲାଇନରେ ଫିଲ୍ଡିଂ ବେଳେ ଗୋଟିଏ ହାତରେ ଏକ କ୍ୟାଚ୍ ନେଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଛି ।

ସୂଚନାନୁସାରେ, ଏହି ଘଟଣା ନ୍ୟୁଜିଲାଣ୍ଡ ବ୍ୟାଟିଂ ସମୟରେ ଅଷ୍ଟମ ଓଭରରେ ଘଟିଥିଲା । ଓଡିମ୍ ସ୍ମିଥ୍ ବୋଲିଂ କରୁଥିଲେ । ବ୍ୟାଟିଂ କରୁଥିଲେ ମାର୍ଟିନ ଗୁପ୍ଟିଲ । ସ୍ମିଥଙ୍କ ଏକ ଅଫ୍ ସାଇଡ ବଲରେ ଗୁପ୍ଟିଲ ଛକା ମାରିବାକୁ ଚେଷ୍ଟା କରିଥିଲେ । ସଟ୍ ବାଉଣ୍ଡରୀ ଲାଇନ୍ ଅତିକ୍ରମ କରିବ ବୋଲି ସମସ୍ତଙ୍କୁ ଲାଗୁଥିଲା । କିନ୍ତୁ ହେଟମାୟର ଡାଇଭ୍ କରି ଗୋଟିଏ ହାତରେ କ୍ୟାଚ୍ ନେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୮୫ ରନ୍ କରିଥିଲା । କେନ୍ ଓ୍ୱିଲମସନ୍ ୪୭ ଓ ଡେବାନ୍ କାମ୍ବେ ୪୩ ରନ୍ କରିଥିଲେ । ଇଣ୍ଡିଜ ୭ ଓ୍ୱିକେଟରେ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ନ୍ୟୁଜିଲାଣ୍ଡ ୧୩ ରନରେ ମ୍ୟାଚ୍ ଜିତି ନେଇଥିଲା ।

Related Articles

Back to top button