ଜାତୀୟ ବରିଷ୍ଠ ପୁରୁଷ କ୍ରିକେଟ୍‌ ମନୋନୟନ କମିଟିର ସଦସ୍ୟ ହେଲେ ଓଡ଼ିଶାର ଶିବସୁନ୍ଦର ଦାସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କ‌େଣ୍ଟ୍ରାଲ୍‌ ବୋର୍ଡ (ବିସିସିଆଇ) ଶନିବାର ନୂତନ ଜାତୀୟ ବରିଷ୍ଠ ପୁରୁଷ କ୍ରିକେଟ୍‌ ମନୋନୟନ କମିଟି ଘୋଷଣା କରିଛି। ନଭେମ୍ବର ୧୮ରେ ବିସିସିଆଇ ଦ୍ବାରା ବିତାଡ଼ିତ କମିଟିର ଅଧ୍ୟକ୍ଷ ଥିବା ପୂର୍ବତନ ଭାରତୀୟ ଫାଷ୍ଟବୋଲର ଚେତନ ଶର୍ମା ନବଗଠିତ ମନୋନୟନ କମିଟିର ଅଧ୍ୟକ୍ଷ ଭାବେ ପୁଣିଥରେ ନିଯୁକ୍ତ ହୋଇଛନ୍ତି। କମିଟି​ରେ ପୂର୍ବତନ ଟେଷ୍ଟ ଓପ୍‌ନର ଓଡ଼ିଶାର ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି। ଅନ୍ୟ ୩ ସଦସ୍ୟ ହେଲେ ଏସ୍. ଶରତ, ସଲିଲ ଆଙ୍କୋଲା ଓ ସୁବ୍ରତ ବାନାର୍ଜୀ। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ମନୋନୟନ କରିବା ନୂତନ ମନୋନୟନ କମିଟିର ପ୍ରଥମ ଦାୟିତ୍ବ ହେବ।

୩ୟ ଓଡ଼ିଆ ଭାବେ ୪୫ ବର୍ଷ ବୟସ୍କ ଶିବସୁନ୍ଦର ଦାସ ଜାତୀୟ ବରିଷ୍ଠ କ୍ରିକେଟ୍‌ ମନୋନୟନ କମିଟିର ସଦସ୍ୟ ହୋଇଛନ୍ତି। ଭାରତୀୟ ଜୁନିୟର କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରଞ୍ଜୀବ ବିଶ୍ବାଳ ପ୍ରଥମ ଓଡ଼ିଆ ଭାବେ ଜାତୀୟ ମନୋନୟନକାରୀ ହୋଇଥିଲେ। ପରେ ରାଜ୍ୟର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ପ୍ରଥମେ ଜୁନିୟର ଏବଂ ପରେ ସିନିୟର ମନୋନୟନ କମିଟିର ସଦସ୍ୟ ହୋଇଥିଲେ। ଚେତନ ଶର୍ମା ନେତୃତ୍ବାଧୀନ ବିଦାୟୀ ମନୋନୟନ କମିଟିରେ ଦେବାଶିଷ ରହିଥିଲେ। ଦେବାଶିଷଙ୍କ ସ୍ଥାନରେ ଶିବସୁନ୍ଦର ଦାସ ମନୋନୟନକାରୀ ହୋଇଛନ୍ତି।

ଜାତୀୟ ବରିଷ୍ଠ ମନୋନୟନ କମିଟିର ସଦସ୍ୟ ନିଯୁକ୍ତ ହୋଇଥିବା ଓଡ଼ିଶାର ଶିବସୁନ୍ଦର ଦାସଙ୍କୁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସହ ଅନ୍ୟ କର୍ମକର୍ତ୍ତା ଶିବସୁନ୍ଦରଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ସଫଳତା କାମନା କରିଛନ୍ତି।

Related Articles

Back to top button