ଭାରତ ପାଇଁ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ନିତେଶ କୁମାର।

ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ତାରକା ବ୍ୟାଡମିଣ୍ଟନ ଖେଳାଳି ନିତେଶ କୁମାର। ସେ ବ୍ୟାଡମିଣ୍ଟନ ପୁରୁଷ ଏକକ ଏସଏଲ ୩ ବର୍ଗରେ ଗ୍ରେଟ୍ ବ୍ରିଟେନ୍ର ଡାନିଏଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ପାରା ଅଲିମ୍ପିକ୍ସ ୨୦୨୪ରେ ସ୍ଵର୍ଣ୍ଣ ପଦକ ଜିତିବାରେ ସେ ଦ୍ଵିତୀୟ ଆଥଲେଟ୍। ଏହାକୁ ମିଶାଇ ୨୦୨୪ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ନିତେଶ ପ୍ରଥମ ଥର ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରି ପ୍ରଥମ ଥରରେ ହିଁ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ପାରା ଅଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିବାରେ ସେ ତୃତୀୟ ଭାରତୀୟ ଆଥଲେଟ୍। ତାଙ୍କ ପୂର୍ବରୁ ଟୋକିଓ ପାରାଅଲିମ୍ପିକ୍ସରେ ଓଡିଶାର ପ୍ରମୋଦ ଭଗତ ଓ କୃଷ୍ଣା ନାଗର ପୁରୁଷ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ଭାରତ ଏ ପର୍ଯ୍ୟନ୍ତ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମୋଟ୍ ୯ ପଦକ ଜିତି ସାରିଛି। ସୁଟିଂରେ ଏ ପର୍ଯ୍ୟନ୍ତ ଭାରତକୁ ୪ ପଦକ ମିଳିଥିବା ବେଳେ ଆଥଲେଟିକ୍ସ ୪ ଏବଂ ବ୍ୟାଡମିଣ୍ଟନରେ ଗୋଟିଏ ପଦକ ରହିଛି। ସୁଟିଂରେ ଅବନୀ ଲେଖରା ସ୍ଵର୍ଣ୍ଣ, ମନୀଷ ନରଓ୍ଵାଲ ରୌପ୍ୟ, ମୋନା ଅଗ୍ରଓ୍ଵାଲ ଓ ରୁବିନା ଫ୍ରାନ୍ସିସ୍ କାଂସ୍ୟ ପଦକ ଜିତିଛନ୍ତି। ଆଥଲେଟିକ୍ସରେ ନିଷାଦ କୁମାର ଉଚ୍ଚ ଡିଆଁରେ ରୌପ୍ୟ, ଯୋଗେଶ କୁମାର କଥୁନିଆ ଡିସକସ୍ ଥ୍ରୋରେ ରୌପ୍ୟ, ପ୍ରୀତି ପାଲ ମହିଳାଙ୍କ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ଆଉ ଆଜି ବ୍ୟାଡମିଣ୍ଟନରେ ନିତେଶ କୁମାର ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Related Articles

Back to top button