୧୭ବର୍ଷର ଲମ୍ବା କ୍ୟାରିୟର, ଭାରତର ସର୍ବାଧିକ ଗୋଲ ସ୍କୋରର ସୁନୀଲ ଛେତ୍ରୀ

ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ସୁନୀଲ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି

ସୁନୀଲ ଛେତ୍ରୀ ଭାରତୀୟ ଫୁଟବଲର ଦଳର କ୍ୟାପଟେନ୍ । ୨୦୦୫ ମସିହାରେ ଟିମ୍ ଇଣ୍ଡିଆରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ଏହି ଫରୱାଡ୍ ଖେଳାଳିଙ୍କ ଗୋଡ଼ରେ ଏବେବି ରହିଛି ଯାଦୁ । ଫିଲ୍ଡରେ ଯେ କୌଣସି ଦଳ ବିପକ୍ଷରେ ସେ ଗୋଲ କରିବାକୁ ସକ୍ଷମ । ୧୭ବର୍ଷର ଏହି ଲମ୍ବା କ୍ୟାରିୟର ଭିତରେ ୧୨୯ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୮୪ଟି ଗୋଲ ଦେଇଛନ୍ତି । ଏଥିସହ ଭାରତର ସର୍ବଶ୍ରେଷ୍ଠ ଗୋଲ ସ୍କୋରର୍ ମାନ୍ୟତା ପାଇଛନ୍ତି । ଏପରିକି ତାଙ୍କ ନାଁ ଏବେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ପର୍ତ୍ତୁଗୀଜଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋଙ୍କ ତଳକୁ ରହିଛି । ବର୍ତ୍ତମାନ ଖେଳୁଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରେ ସୁନୀଲ ଛେତ୍ରୀ ତୃତୀୟ ଶ୍ରେଷ୍ଠ ଗୋଲ ସ୍କୋରର୍ ଅଟନ୍ତି ।

ମେସି ୧୬୨ଟି ମ୍ୟାଚରେ ୮୬ଟି ଗୋଲ ଦେଇଥିବା ବେଳେ ରୋନାଲଡୋ ୧୮୯ଟି ମ୍ୟାଚ ଖେଳି ୧୧୭ଟି ଗୋଲ ଦେଇଛନ୍ତି । ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି । ବିଭିନ୍ନ କ୍ଲବ ପାଇଁ ଖେଳି ସେ ଏଯାବତ୍ ୧୪୦ଟି ଗୋଲ୍ ଦେଇଛନ୍ତି । ୨୦୧୦ରେ କାନସାସ୍ ସିଟି ୱିଜାଡ୍ ଓ ୨୦୧୨ରେ ସେ ସ୍ପୋର୍ଟିଂ କ୍ଲବ୍ ପର୍ତ୍ତୁଗାଲ ପାଇଁ ଖେଳିଥିଲେ ।

୨୦୦୫ ମସିହାରେ ଛେତ୍ରୀ ୨୦ବର୍ଷରୁ କମ୍ ଭାରତୀୟ ଦଳରେ ସାମିଲ ହୋଇଥିଲେ । ତା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଗୋଟିଏ ଗୋଲ ଦେଇଥିଲେ କ୍ରୀଡା ପ୍ରତି ଅବଦାନ ପାଇଁ ସେ ୨୦୧୧ରେ ଅର୍ଜୁନ ପୁରସ୍କାର, ୨୦୧୯ରେ ପଦ୍ମ ପୁରସ୍କାର ଓ ୨୦୨୧ରେ ଖେଳରତ୍ନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ୭ ଥର ଏଆଇଏଫଏଫ୍ ପକ୍ଷରୁ ସେ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି ।

Related Articles

Back to top button