ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି-ରାହୁଲଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ଏସିଆ କପ୍ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟି ସୋମବାର ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ଭାରତୀୟ ଦଳକୁ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆହତ କାରଣରୁ ଯଶପ୍ରୀତ ବୁମରା ଏସିଆ କପ୍‌ରୁ ବାଦ୍ ପଡିଛନ୍ତି। ତିନି ଜଣ ଖେଳାଳିଙ୍କୁ ବ୍ୟାକ୍ ଅପ୍ ଭାବେ ଦଳରେ ସାମିଲ୍ କରାଯାଇଛି।

ଷ୍ଟାର ଓପନର କେଏଲ ରାହୁଲ ଫେବୃଆରୀ ପରେ ପ୍ରଥମ ଥର ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ସେ ଫିଟନେସ୍ ସମସ୍ୟା କାରଣରୁ ଦଳରୁ ବାହାରେ ଥିଲେ। ଆହତ ସମସ୍ୟା କାରଣରୁ ଯଶପ୍ରୀତ ବୁମରା ଏବଂ ହର୍ଷଲ ପଟେଲ୍‌ଙ୍କୁ ଏସିଆ କପ୍  ପାଇଁ ଦଳରେ ଚୟନ କରାଯାଇ ନାହିଁ। ଏସିଆ କପ୍ ପାଇଁ ତିନି ଜଣ ଖେଳାଳିଙ୍କ ବ୍ୟାକ୍ ଅପ୍ ଭାବେ ରଖାଯାଇଛି। ସେ  ହେଉଛନ୍ତି ଶ୍ରେୟସ ଆୟର, ଦୀପକ ଚହର ଏବଂ ଅକ୍ଷର ପଟେଲ୍। ଏସିଆ କପ୍‌ ୨୦୨୨ରେ ଭାରତ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏହି ମୁକାବିଲା ଅଗଷ୍ଟ ୨୮ରେ ଦୁବାଇରେ ଖେଳାଯିବ।

ଏସିଆ କପ୍ ୟୁଏଇରେ ଖେଳା ଯାଉଥିବାରୁ ସେଠାକାର ପିଚ୍ ଏବଂ ପରିବେଶକୁ ଦୃଷ୍ଟିରେ ରଖି ତିନି ଜଣ ସ୍ପିନର ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ନୋଇଙ୍କୁ ଦଳରେ ସାମିଲ୍ କରାଯାଇଛି। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ରହିଛନ୍ତି। ଦ୍ରୁତ ବୋଲର ହିସାବରେ ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କୁ ଦଳରେ ସାମିଲ୍ କରାଯାଇଛି। ନିଜର ପ୍ରଦର୍ଶନ ଦମରେ ଦୀପକ ହୁଡ୍ଡା ନିଜକୁ ଏସିଆ କପ୍ ଦଳରେ ସାମିଲ୍ କରାଇବାରେ ସକ୍ଷମ ହୋଇଛନ୍ତି।

ଏସିଆ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ଅଭେଶ ଖାନ।

Related Articles

Back to top button