ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ: କେଏଲ ରାହୁଲ ଅଧିନାୟକ, କୁଲଦୀପ ଯାଦବ ସାମିଲ

ମୁମ୍ବଇ : ଭାରତ ଓ ବାଂଲାଦେଶ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ତେଣୁ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ପାଇଁ  ବିସିସିଆଇ ଟିମ୍ ଇଣ୍ଡିଆରେ କିଛି ପରିବର୍ତ୍ତନ କରିଛି । ଆହତ କାରଣରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନଙ୍କୁ ତୃତୀୟ ଦିନିକିଆରୁ ବାଦ୍ ଦିଆଯାଇଛି। ଏଥି ସହିତ ‘ଚିଇନାମ୍ୟାନ’ ବୋଲର କୁଲଦୀପ ଯାଦବଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । କୁଲଦୀପ ତୃତୀୟ ଦିନିକିଆ ଖେଳିପାରିବେ। କେଏଲ ରାହୁଲ ଦଳର ନେତୃତ୍ବ ନେବେ।
ରୋହିତ ଶର୍ମାଙ୍କ ଆଘାତ ଉପରେ ବିସିସିଆଇ ମଧ୍ୟ ଏକ ସଦ୍ୟତମ ସୂଚନା ଦେଇଛି । ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ରୋହିତ ଆହତ ହୋଇଥିଲେ। ତାଙ୍କ ବାମ ହାତର ଆଙ୍ଗୁଠି ଖସି ଯାଇଥିଲା । ଏହା ସତ୍ତ୍ବେ ରୋହିତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ବାହାରିଥିଲେ। ବୋର୍ଡ କହିଛି, ବିସିସିଆଇର ଡାକ୍ତରୀ ଦଳ ତାଙ୍କୁ ପରୀକ୍ଷା କରିଥିଲେ ଏବଂ ତାଙ୍କୁ ଢାକାସ୍ଥିତ ଏକ ସ୍ଥାନୀୟ ଡାକ୍ତରଖାନାରେ ସ୍କାନ କରାଯାଇଥିଲା। ବିଶେଷଜ୍ଞ ପରାମର୍ଶ ପାଇଁ ସେ ମୁମ୍ବାଇ ଯାଇଛନ୍ତି ଏବଂ ଅନ୍ତିମ ଦିନିକିଆଖେଳିବେ ନାହିଁ। ଆଗାମୀ ଟେଷ୍ଟ ସିରିଜ୍ ପାଇଁ ସେ ଖେଳିବା ନେଇ ପରେ ନିଷ୍ପତ୍ତି ନିଆଯିବ।
ପ୍ରଥମ ଦିନିକିଆ ପରେ ଫାଷ୍ଟ ବୋଲର କୁଲଦୀପ ସେନ ତାଙ୍କ ପିଠିରେ ଯନ୍ତ୍ରଣା ଥିବା ଅଭିଯୋଗ କରିଥିଲେ। ତାଙ୍କୁ ବିସିସିଆଇ ମେଡିକାଲ ଦଳ ପରୀକ୍ଷା କରି ଦ୍ୱିତୀୟ ଦିନିକିଆରୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା। କୁଲଦୀପ ଚାପରେ ଥିବାରୁ ତାଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି । ଦ୍ୱିତୀୟ ଦିନିକିଆ ସମୟରେ ଦ୍ରୁତ ବୋଲର ଦୀପକ ଚହର ଏକ ବାମ ହାମଷ୍ଟ୍ରିଂ ଷ୍ଟ୍ରେନର ଶିକାର ହୋଇଥିଲେ ଏବଂ ଏହି ସିରିଜରୁ ମଧ୍ୟ ବାଦ ପଡିଥିଲେ।

Related Articles

Back to top button