ଡେରାସ ଡ୍ୟାମ ନିକଟରେ ଦର୍ଶକଙ୍କ ମନ ମୋହୁଛି ପିଜୁଳି ଚାଷ

ଭୁବନେଶ୍ୱର ଉପକଣ୍ଠ ଗିରୀଙ୍ଗପୁଟରେ ଗଢ଼ି ଉଠୁଥିବା ନିର୍ମଳାଳୟ ସେବାଶ୍ରମ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୁରରେ ରହିଛି ଓଡ଼ିଶା ସରକାରଙ୍କ ଉଦ୍ୟାନ ବିଭାଗ ଦ୍ୱାରା ପରିଚାଳିତ ଡେରାସ ଫାର୍ମ ହାଉସ। ଭୁବନେଶ୍ୱର ଠାରୁ ପାଖାପାଖି ଅଠର କିଲୋମିଟର ଦୂର ମେଣ୍ଢାଶାଳ ବଜାରରୁ ବାହାରିଥିବା ପିଚୁରାସ୍ତା ଦେଇ ଏଠାକୁ ଆପଣ ସହଜରେ ପହଞ୍ଚି ପାରିବେ। ପ୍ରକୃତିର ସବିଜିମା ସହ ଏଠାକାର ମନଲୋଭା ପରିବେଶ ଦର୍ଶକଙ୍କୁ ଆକୃଷ୍ଟ କରୁଛି।

ଏହି ଡେରାସ ଫାର୍ମ ହାଉସ ପାଖରେ ଅଛି ରବର୍ ଡ୍ୟାମ୍। ଜଙ୍ଗଲର ସବୁଜମୟ ପରିବେଶ ମଧ୍ୟରେ ଲମ୍ବି ଯାଇଛି ଏକ ଅଙ୍କା ବଙ୍କା ପିଚୁ ରାସ୍ତା। ଏହି ରାସ୍ତାରେ ପଡ଼ିବ ଦର୍ଶନୀୟ ହରିଦାମଡ଼ା ଗାୟତ୍ରୀ ଆଶ୍ରମ ଓ ପଞ୍ଚବଟୀ ଆଶ୍ରମ। ଫାର୍ମ ପାଖରେ କଳାଝର ଗାଁ ଏବଂ ସେଇଠୁ ଆଉ ଟିକେ ଆଗକୁ ଗଲେ ପଡ଼ିବ ଆଦିବାସୀ ବରାପିଟା ସୋଲାର ବସ୍ତି। ବସ୍ତିରୁ ଟିକେ ଆଗକୁ ଗଲେ ପଡ଼ିବ ଡେରାସ ଡ୍ୟାମ।

ଚନ୍ଦକା ବନାଞ୍ଚଳର ପାଦଦେଶରେ, ପ୍ରକୃତିର ସବୁଜିମା କୋଳରେ ପିଜୁଳି ଚାଷ ହେଉଛି। ଏଠାରେ ସ୍ଵାଦିଷ୍ଟ ଭି.ଏନ.ଆର.ଭି ପ୍ରଜାତିର ପିଜୁଳି ଚାଷ ହୋଇଥାଏ। ଛୋଟ ଛୋଟ ଗଛର ଡାଳରେ ଭରି ଯାଇଛି ଅନେକ ପିଜୁଳି ପେନ୍ଥା। ଫଳର ସମ୍ଭାରରେ ଡାଳ ଗୁଡିକ ନଇଁ ନ ଯାଇ ଝଙ୍କାଳିଆ ବୁଦାର ଭ୍ରମ ସୃଷ୍ଟି କରୁଛି। ନିଶ୍ଚିତ ଏହା ଏକ ମନଲୋଭା ପରିବେଶ।

ପିଲାଦିନେ ଆପଣ ପଢିଥିବେ “ନମ୍ରନ୍ତି ଫଳିନଙ୍ଗ ବୃକ୍ଷା, ନମ୍ରନ୍ତି ଗୁଣିଂ ଜନା”।ଫାର୍ମରେ ପହଞ୍ଚିଲେ ଆପଣ ପିଜୁଳିର ଚାହିଦା ନିଜେ ଅନୁଭବ କରି ପାରିବେ। କିଛି ଲୋକ ଏଠାକୁ ପିଜୁଳି ଚାଷ ବୁଲି ଦେଖିବାକୁ ଆସନ୍ତି ଆଉ କିଛି ଲୋକ ପିଜୁଳି କିଣିବା ପାଇଁ ଆସନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ସ୍ଥାନୀୟ ବାସିନ୍ଦା ବୁଲୁ ଭାଇ ଓ ଫାର୍ମ କର୍ମଚାରୀ ପ୍ରଫୁଲ୍ଲ ଭାଇ କୁହନ୍ତି ଏହି ଫାର୍ମରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପିଜୁଳି ବେପାରୀ ମାନେ କିଣି ନେଇ ଭୁବନେଶ୍ୱରରେ ରାୟପୁର ପିଜୁଳି ବୋଲି ପରିଚୟ ଦେଇ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଖାଉଟି ମାନେ ଚାହିଁଲେ ସିଧାସଳଖ ମଧ୍ୟ ଫାର୍ମରୁ ପିଜୁଳି କିଣି ପାରିବେ ବୋଲି କହିଛନ୍ତି ଫାର୍ମ କର୍ମଚାରୀ।

ସାଧାରଣତଃ ଛୁଟି ଦିନରେ ଏଠାରେ ଜମେ ଦର୍ଶକଙ୍କ ଭିଡ଼। ଆପଣ ମାନେ ମଧ୍ୟ ଚାହିଁଲେ ଏହି ପ୍ରାକୃତିକ ସ୍ଥାନର ମଜା ନେବା ସହ ପରିବାର ସହ କିଛି ସମୟ ଖୁସିରେ ବିତାଇ ପାରିବେ।

Related Articles

Back to top button