ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ମିଳିବେ ଦୁଇ ନୂଆ ବିଚାରପତି । ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ ବିଶ୍ୱନାଥନ ଆଜି ବିଚାରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଉଭୟ ବିଚାରେପତିଙ୍କୁ ଶପଥପାଠ କରାଇବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ।

ଜଷ୍ଟିସ ଦିନେଶ ମାହେଶ୍ୱରୀ ଏବଂ ଏମ.ଆର ଶାହଙ୍କ ଅବସର ପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ କମ୍ ହୋଇ ୩୨ରେ ପହଞ୍ଚିଥିଲା । କିନ୍ତୁ ବର୍ତ୍ତମାନ ଜଷ୍ଟିସ ମିଶ୍ରା ଏବଂ ଆଇନଜୀବୀ ବିଶ୍ୱନାଥନଙ୍କ ଶପଥପାଠ ପରେ ଏହି ଆସନ ପୂରଣ ହୋଇପାରିବ । ତେବେ ନବନିଯୁକ୍ତ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଟ୍ୱିଟ ସେୟାର କରି ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଭାରତର ସମ୍ବିଦାନ ଦ୍ୱାରା ପ୍ରଦତ୍ତ ଶକ୍ତିର ପ୍ରୟୋଗ କରି, ଭାରତର ମାନନୀୟା ରାଷ୍ଟ୍ରପତି ଏବଂ ମାନନୀୟ ମୁଖ୍ୟ ନ୍ୟାୟଧୀଶଙ୍କ ସହ ପରାମର୍ଶ କରି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଆଇନଜୀବୀ ବିଶ୍ୱନାଥନଙ୍କୁ ନିଯୁକ୍ତ କରାଯାଉଛି ।

ଏହାସହିତ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତି ପାଇବାରେ ଦଶମ ବିଚାରପତି ହୋଇଛନ୍ତି କେ.ଭି ବିଶ୍ୱନାଥନ । ତେବେ ବିଚାରପତି ଜେବି ପାରଦୀୱାଲାଙ୍କ ଅବସର ପରେ ୧୧ ଅଗଷ୍ଟ, ୨୦୩୦ରେ କେ.ଭି ବିଶ୍ୱନାଥନ ଦେଶର ମୁଖ୍ୟ ବିଚାରେପତି ଭାବରେ ନିଯୁକ୍ତି ପାଇପାରନ୍ତି । ସୁପ୍ରିମକୋର୍ଟ କଲେଜିୟମ ଦୁଇ ଦିନ ପୂର୍ବରୁ କେନ୍ଦ୍ର ନିକଟରେ ଏହି ଦୁଇ ଜଣଙ୍କ ନାମ ସୁପାରିଶ କରାଯାଇଥିଲା । ଏହାପରେ ଗୁରୁବାର ଏହାକୁ ମଞ୍ଜୁରୀ ମିଳିଥିବା ବେଳେ ଆଜି ଶପଥ ପାଠ କରିବେ ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ନୂଆ ବିଚାରପତି ।

Related Articles

Back to top button