ଆଖିବୁଜିଲା ମାଈ ଚିତା ଧାତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶୋପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାର ମୃତ୍ୟୁ ହୋଇଯାଇଛି । ନାମିବିୟାରୁ ଅଣାଯାଇଥିବା ମାଈ ଚିତା ବାଘ ଧାତ୍ରୀ(ଟିବଲିସ୍)ର ମୃତଦେହ ଆଜି ଠାବ କରାଯାଇଛି । ଦୁଇ ଦିନ ଧରି ଟିବଲିସକୁ ଠାବ କରାଯାଇ ପାରୁ ନ ଥିଲା ।

ଟିବଲିସକୁ ଦକ୍ଷିଣ ଆଫ୍ରିକାର ନାମିବିୟାରୁ ଭାରତ ଅଣାଯାଇଥିଲା । ଏଠାକୁ ଆସିବା ପରେ ଟିବଲିସ ଗତ କିଛି ଦିନ ଧରି ନଜର ଆସୁ ନଥିଲା । ଏବେ ତାହାର ମୃତଦେହ ଠାବ କରାଯାଇଛି ।

ତେବେ କୁନୋ ନ୍ୟାସନାଲ ପାର୍କରେ ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏ ପର୍ଯ୍ୟନ୍ତ ୬ ଚିତା ଓ ୩ ଶାବକଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଟିବଲିସର ମୃତ୍ୟୁ କିପରି ହୋଇଛି ସେ ବିଷୟରେ ଏବେ ସ୍ପଷ୍ଟ ଭାବରେ କିଛି ଜଣାପଡିନାହିଁ । ଟିବଲିସର ମୃତଦେହ କୁନୋ ବାହାରେ ଠାବ କରାଯାଇଛି ।

ଏବେ ଟିବଲିସର ମୃତଦେହର ପୋଷ୍ଟମର୍ଟମ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ଏହା ପୂର୍ବରୁ ଏହା କୁହାଯାଉଥିଲା ଯେ ଚିତା ବେକରେ ଲାଗିଥିବା କୋଲାର ରେଡିଓରୁ ତାକୁ ସମସ୍ୟା ହେଉଥିଲା । କୁହାଯାଉଛି ଟିବଲିସର ଗଳାରେ ଥିବା କୋଲାର ରେଡିଓ କାରଣରୁ ସେ ସଂକ୍ରମଣର ଶିକାର ହୋଇଥିଲା ।

କୁନୋ ନ୍ୟାସନାଲ ପାର୍କରେ ମୋଟ ୯ଟି ଚିତାଙ୍କର ମୃତ୍ୟୁ ହୋଇ ସାରିଲାଣି । ଏବେ ସେଠାରେ ଆଉ ମାତ୍ର ୧୪ ଟି ଚିତା ଅଛନ୍ତି । ଏମାନଙ୍କ ମଧ୍ୟରେ ଏକ ଶାବକ ବି ରହିଛି । ଏମାନଙ୍କ ମଧ୍ୟରେ ୭ ପୁରୁଷ ଓ ୬ ମାଈ ଚିତା ଅଛନ୍ତି । କୁନୋ ପ୍ରଶାସନ କହିଛି ଅନ୍ୟ ସବୁ ଚିତା ସୁସ୍ଥ ଅଛନ୍ତି । ତେବେ କୁନୋରେ ଲଗାତର ଚିତା ମୃତ୍ୟୁକୁ ନେଇ ଲୋକଙ୍କ ମନରେ ପ୍ରୋଜେକ୍ଟ ଚିତାକୁ ନେଇ ଅନିଶ୍ଚୟତା ସୃଷ୍ଟି ହୋଇଛି । ଏହି ପ୍ରୋଜେକ୍ଟ ଜରିଆରେ ଦେଶରେ ଲୋପ ପାଉଥିବା ଚିତା ବଂଶକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।

Related Articles

Back to top button