ଜାପାନର ୪୦ତମ ନିୱାନୋ ଶାନ୍ତି ପୁରସ୍କାର ପାଇବେ ବିଶିଷ୍ଟ ସମାଜସେବୀ ରାଜଗୋପାଳ ପି.ଭି.

ଭୁବନେଶ୍ୱର: ଜାପାନର ୪୦ତମ ନିୱାନୋ ଶାନ୍ତି ପୁରସ୍କାର ପାଇବେ ଭାରତର ବିଶିଷ୍ଟ ସମାଜସେବୀ ରାଜଗୋପାଳ ପି.ଭି.। ପ୍ରଖ୍ୟାତ ଗାନ୍ଧୀବାଦୀ ଓ ସର୍ବୋଦୟୀ ନେତା ତଥା ଆନ୍ତର୍ଜାତିକ ଖ୍ୟାତିପ୍ରାପ୍ତ ସଂଗଠନ ‘ଏକତା ପରିଷଦ’ର ପ୍ରତିଷ୍ଠାତା ରାଜଗୋପାଳଙ୍କୁ ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ ପାଇଁ ଦୁନିଆର ପ୍ରତିଷ୍ଠିତ ସଂସ୍ଥା ନିୱାନୋ ପିସ୍‌ ଫାଉଣ୍ଡେସନ୍‌, ଜାପାନ ତରଫରୁ ଏହି ପୁରସ୍କାର ମିଳିବ। ସଂପୃକ୍ତ ପ୍ରତିଷ୍ଠାନର ଆନୁଷ୍ଠାନିକ ଘୋଷଣା ଅନୁଯାୟୀ ଶାନ୍ତପୂର୍ଣ୍ଣ ଓ ଅହିଂସକ ଉପାୟରେ ରାଜଗୋପାଳ ଦେଶର ସବୁଠୁ ଗରିବ ଲୋକଙ୍କ ପାଇଁ ଜାତିଭେଦ ଓ ଲିଙ୍ଗଭେଦ ବିନା ସମସ୍ତ ନାଗରିକଙ୍କର ସମାନ ମାନବିକ ମର୍ଯ୍ୟାଦା ତଥା ସମାନ ଅଧିକାର ଦିଗରେ କାର୍ଯ୍ୟ କରିଆସିଛନ୍ତି।

ଜଳ, ଜମି, ଜଙ୍ଗଲ ଉପରେ ଗରିବମାନଙ୍କ ପ୍ରାଥମିକ ଅଧିକାର, ପାରିବେଶିକ ସୁରକ୍ଷା, ଆତ୍ମସମର୍ପଣକାରୀ ଚମ୍ବଲ ଦସ୍ୟୁମାନଙ୍କ ପୁନର୍ବାସ, ଯୁବବର୍ଗଙ୍କ ମଧ୍ୟରେ ଶାନ୍ତି ଓ ଅହିଂସାର ପ୍ରସାର କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଉଛି। ଏହି କ୍ରମରେ ତାଙ୍କୁ ଏକ ମାନପତ୍ର, ଏକ ପଦକ ସମେତ ୨ କୋଟି ଜାପାନୀ ୟେନ୍‌ ମିଳିବ, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ୨୩ ଲକ୍ଷ ଟଙ୍କା ହେବ। ଜାପାନର ରାଜଧାନୀ ନଗରୀ ଟୋକିଓରେ ୧୧ ମେ ୨୦୨୩ରେ ଏକ ବିଶେଷ ସମାରୋହରେ ରାଜଗୋପାଳଙ୍କୁ ଏ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକତା ପରିଷଦ ଓଡିଶା ଶାଖାର ସଂଯୋଜକ ବିଜୟ କୁମାର ପ୍ରଧାନ ଜଣାଇଛନ୍ତି।

ନିୱାନୋ ଶାନ୍ତି ପ୍ରତିଷ୍ଠାନ ଏକ ଗଣମାଧ୍ୟମ ବାର୍ତ୍ତାରେ ଜଣାଇଛି ଯେ ବିଶ୍ୱ ଶାନ୍ତି ପ୍ରସାର ପାଇଁ ଗାନ୍ଧିବାଦୀ କୌଶଳ ପଦଯାତ୍ରାକୁ ହିଁ ରାଜଗୋପାଳ ପ୍ରୟୋଗ କରିଛନ୍ତି। ସତ୍ୟାଗ୍ରହ ଓ ଅହିଂସ ସାମାଜିକ ରୀତି ପ୍ରସାର ଦିଗରେ ଯୁବକଯୁବତୀମାନଙ୍କୁ ପ୍ରଶିକ୍ଷିତ କରିଛନ୍ତି। ଏପରିକି ଗରିବ ଓ କୃଷକମାନଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ ତାଙ୍କ ସଂଗଠନ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଆସିଛି। ତାଙ୍କ ପୂର୍ବରୁ ୨୦୧୦ରେ ଏହି ପୁରସ୍କାର ପାଇଥିଲେ ଅନ୍ୟ ଜଣେ ବିଶିଷ୍ଟ ଭାରତୀୟ ପ୍ରଖ୍ୟାତ ସମାଜସେବୀ ପଦ୍ମଭୂଷଣ ଈଲା ଭଟ୍ଟ। ବୌଦ୍ଧ ସଂଗଠନ ରିଷୋ କୋସେଇ-କାଇ ପ୍ରତିଷ୍ଠାତା ତଥା ପ୍ରଥମ ସଭାପତି ନିକ୍କ୍ୟୋ ନିୱାନୋଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଚଳିତ ହୋଇଛି; ଯାହାଙ୍କ ବିଚାରରେ ଶାନ୍ତିର ଅର୍ଥ କେବଳ ବିବାଦର ଅନୁପସ୍ଥିତି ନୁହେଁ, ବରଂ ଲୋକଙ୍କ ଆଭ୍ୟନ୍ତରୀଣ ଜୀବନରେ ତଥା ଆମ ଗୋଷ୍ଠୀରେ, ରାଷ୍ଟ୍ରରେ ଓ ବିଶ୍ୱରେ ଏକ ଗତିଶୀଳ ସଂହତି ସମ୍ଭବ କରିବା। ଶାନ୍ତି ହିଁ ବୌଦ୍ଧତତ୍ତ୍ୱର ଅସଲ ଲକ୍ଷ୍ୟ ହୋଇଥିବାରୁ ବିଭିନ୍ନ ଧର୍ମ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଶ୍ୱ ଶାନ୍ତି ପ୍ରସାରରେ ନିୱାନୋ ତାଙ୍କ ଜୀବନର ଅର୍ଦ୍ଧାଧିକ ସମୟ ବ୍ୟୟ କରିଥିଲେ।

Related Articles

Back to top button