ଭାରତରେ ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟ୍ୱିଟର

ନୂଆଦିଲ୍ଲୀ:  ଟ୍ୱିଟରରେ ଚାକିରି ଛଟେଇକୁ ନେଇ ସାରା ବିଶ୍ବରେ ଚର୍ଚା ଚାଲିଛି । ଏହାରି ଭିତରେ ଭାରତରେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ମେଲ ହସ୍ତଗତ ହୋଇଥିବା କିଛି କର୍ମଚାରୀ କହିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ପ୍ରାୟ ୨୦୦ କର୍ମଚାରୀଙ୍କୁ ଭାରତରେ ଛଟେଇ କରାଯାଇଛି । କମୁନିକେସନ ଏବଂ ମାର୍କେଟିଂଗ ବିଭାଗରୁ ସବୁ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା କୁହାଯାଉଛି । କମ୍ପାନୀ ସମଗ୍ର ବିଶ୍ୱରେ 7,500 କର୍ମଚାରୀଙ୍କ ମଧ୍ୟରୁ 3,738 ଲୋକଙ୍କୁ ଛଟେଇ କରିଥିବା କୁହାଯାଉଛି ।

ଟ୍ବିଟର ମାଲିକ ଏଲନ ମସ୍କଙ୍କ ଚାକିରି ଛଟେଇ ନିଷ୍ପତ୍ତିକୁ ନେଇ ଅନେକ ସମାଲୋଚନା  ଆରମ୍ଭ କରିଥିବା ବେଳେ ଏହାକୁ ଅନେକ ସମର୍ଥନ ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ଅଧିକାଂଶ ଲୋକ ମସ୍କଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି । ଏପରିକି ଗୋଟିଏ ସପ୍ତାହ ମଧ୍ୟରେ ମସ୍କଙ୍କ ଆଠ ଲକ୍ଷରୁ ଅଧିକ  ଫଲୋଅର ବଢ଼ିଛନ୍ତି ।  ତେବେ ଚାକିରି ହ୍ରାସର ଏକ ଅଂଶ ଭାବରେ ଟ୍ୱିଟର ମଧ୍ୟ ଭାରତରେ ନିଜର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି।

ବିଭିନ୍ନ ବିଭାଗରୁ ଟ୍ୱିଟର ଏହାର କର୍ମଚାରୀଙ୍କୁ ଛଟେଇ କରୁଛି । ଗତ ସପ୍ତାହରେ ଏଲୋନ୍ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଏବଂ ସିଏଫଓ ଏବଂ ଅନ୍ୟ କେତେକ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିବା ବେଳେ ଏହା ମଧ୍ୟ କୁହାଯାଉଥିଲା ପରାଗଙ୍କ ଗୋଷ୍ଠୀର ଅନ୍ୟ ଅଧିକାରୀଙ୍କୁ ଛଟେଇ କରାଯିବ । ଯାହା ଆଲୋଚନା ହେଉଛି ଯେଉଁମାନେ ପରାଗଙ୍କ ସମର୍ଥକ ସମସ୍ତଙ୍କୁ ମସ୍କ ବାହାର କରିବାକୁ ଚାହୁଁଛନ୍ତି । ମସ୍କ ଏହି ସୋସିଆଲ ମାଧ୍ୟମକୁ ପ୍ରଫେସନାଲ କରିବାକୁ ଚାହୁଁଛନ୍ତି । କହିବାକୁ ଗଲେ ସେ ଟ୍ବିଟରକୁ  ମୁକ୍ତ, ସ୍ବଚ୍ଛ କରିବାକୁ ଚାହୁଁଛନ୍ତି । ଯେଉଁମାନେ ଟଙ୍କା ଦେଇପାରିବେ ତାଙ୍କୁ ବ୍ଲୁ ଟିକ୍ ମିଳିବ ବୋଲି କହିଛନ୍ତି । ମୁହଁ ଦେଖି କାହାକୁ ବ୍ଲୁ ଟିକ୍ ଦେବାରେ ସେ ବିରୋଧ କରିଛନ୍ତି । ଅନେକ ସମୟରେ ଏହି ସାମାଜିକ ଗଣମାଧ୍ୟମ ପକ୍ଷପାତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏସବୁ ପୁରୁଣା ଭୁଲ ଯେପରି ନହୁଏ ସେଥିପାଇଁ ସେ ଧ୍ବାନ ଦେବାକୁ କହିଛନ୍ତି । ଏହା ସହ ଯେଉଁମାନେ କ୍ରିଏଟିଭ୍ କାର୍ଯ୍ୟ କରିବେ ତାଙ୍କୁ ଅର୍ଥ ମିଳିବା ନେଇ ମସ୍କ ମଧ୍ୟ କହିଛନ୍ତି ।

ପୂର୍ବରୁ ଟ୍ବିଟର ଯେପରି ବିବାଦୀୟ ହୋଇଥିଲା ସେପରି ଆଉ ଆଗକୁ ନହେଉ ଏହା ଚାହାନ୍ତି ମସ୍କ । ବିଶେଷ କରି ଦକ୍ଷିଣପନ୍ଥୀ ବିଚାରଧାରାକୁ ପୂର୍ବରୁ ଟ୍ବିଟର ରେ ସଂଘର୍ଷ କରିବାକୁ ପଡୁଥିବାର  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ ନଆସିବା ପାଇଁ ମସ୍କ ଆଗକୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଛଟେଇକୁ ନେଇ ଏବେ କର୍ମଚାରୀ ଚିନ୍ତାରେ ଅଛନ୍ତି । ଅବଶ୍ୟ ସିଇଓ ଏବଂ ସିଏଫଓଙ୍କୁ ବରଖାସ୍ତ କରାଯିବା ପରେ ଏପରି ଘଟିବ ବୋଲି ଚର୍ଚା ହେଉଥିଲା ।  ଟପ୍ ମ୍ୟାନେଜମେଣ୍ଟ ଗୋଟିଏ ପରେ ଗୋଟିଏ ଶୀର୍ଷ ମ୍ୟାନେଜମେଣ୍ଟରୁ ଇସ୍ତଫା ଦେଇସାରିବା ପରେ ଅଧା କର୍ମଚାରୀଙ୍କୁ ନେଇ କାମ କରିବାକୁ ଚାହୁଁଛନ୍ତି ମସ୍କ । କମ୍ପାନୀର ବିଶ୍ୱସ୍ତରୀୟ କର୍ମଚାରୀଙ୍କୁ ଛଟେଇ କରିବାକୁ ମସ୍କ ଘୋଷଣା କରିଥିବା ବେଳେ ଭାରତରେ  ଛଟେଇ ଆରମ୍ଭ ହୋଇଥିବା ବିଭିନ୍ନ  ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି ।

Related Articles

Back to top button