ମଦ ନିଶା କମାଇବାକୁ ବୈଜ୍ଞାନିକ ପ୍ରସ୍ତୁତ କଲେ ହରମୋନ ଇଞ୍ଜେକ୍ସନ
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ନିଶାକୁ ସମାପ୍ତ କରିବା ପାଇଁ ଏକ ନୂଆ ଇଞ୍ଜେକସନ ପ୍ରସ୍ତୁତ କରିଛନ୍ତି । ସାଧାରଣ ଭାଷାରେ ଏହାକୁ ‘ହରମୋନ ଇଞ୍ଜେକସନ’ କୁହାଯାଉଛି । ଏହି ଇଞ୍ଜେକସନକୁ ନେଇ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ରିସର୍ଚ୍ଚର ଫଳାଫଳ ସକାରାତ୍ମକ କରିଥିବା ଜଣାପଡ଼ିଛି । ଏହି ଇଞ୍ଜେକସନ ଉପରେ ରିସର୍ଚ୍ଚ କରୁଥିବା ଟେକ୍ସାସ ସାଉଥୱେଷ୍ଟର୍ଣ୍ଣ ୟୁନିଭରସିଟିର ବୈଜ୍ଞାନିକଙ୍କ ଅନୁଯାୟୀ, ମଣିଷ ଓ ପଶୁଙ୍କ ଶରୀରରେ ଫାଇବ୍ରୋବ୍ଲାଷ୍ଟ ଗ୍ରାଫ ଫ୍ୟାକ୍ଟର ୨୧ (ଏଫଜିଏଫ୨୧) ତିଆରି ହୋଇଥାଏ । ଏହା ଆଲକହଲ ପ୍ରଭାବକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ସହାୟତା କରିଥାଏ । ଏହା ଏକପ୍ରକାରର ସେଫଗାର୍ଡ ପରି କାର୍ଯ୍ୟ କରିଥାଏ ।
ବୈଜ୍ଞାନିକମାନେ କହିଛନ୍ତି, ଏଫଜିଏଫ୨୧ ମଦର ନକାରାତ୍ମକ ପ୍ରଭାବକୁ ରୋକିବା ଦିଗରେ କାର୍ଯ୍ୟ କରିଥାଏ । ଅଧିକ ଡୋଜର ଇଞ୍ଜେକସନ ଜରିଆରେ ଏହାକୁ ମଣିଷକୁ ଦିଆଗଲେ ତାହା ନିଶାର ପ୍ରଭାବ ସମୟକୁ ଅଧା କରିଦେବ । ଯେତେବେଳେ ଶରୀରରେ ଆଲକହଲର ନିୟନ୍ତ୍ରଣ ହରାଏ, ସେତେବେଳେ ଶରୀର ପୂର୍ବାପେକ୍ଷା ଭଲ କାର୍ଯ୍ୟ କରିଥାଏ । ବୈଜ୍ଞାନିକମାନେ ପ୍ରଥମେ ମୂଷାକୁ ଆଲକହଲ ଦେଇଥିଲେ । ଏକଘଣ୍ଟା ପରେ ମଦ ନିଶା ଚଢ଼ିବା ପରେ ତାକୁ ଏଫଜିଏଫ୨୧ ଇଞ୍ଜେକସନ ଦିଆଯାଇଥିଲା । ଏପରି କରିବା ଦ୍ୱାରା ନିଶାର ପ୍ରଭାବର ସମୟ କମିଯାଇଥିଲା । ଏହା ଉଭୟ ପୁରୁଷ ଓ ମହିଳା ମୂଷାଙ୍କ କ୍ଷେତ୍ରରେ ଦେଖାଯାଇଥିଲା । ଇଞ୍ଜେକସନ ନେଇନଥିବା ମୂଷାଙ୍କ ଅପେକ୍ଷା ଏମାନଙ୍କ କ୍ଷେତ୍ରରେ ୫୦ ପ୍ରତିଶତ କମ୍ ନିଶା ଦେଖିବାକୁ ମିଳିଥିଲା ।