ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ଅକ୍ଷୟ, ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ
ମୁମ୍ଵାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ରାମ ସେତୁ ନିକଟରେ ରିଲିଜ୍ ହୋଇଥିଲା । ତାହାକୁ ନେଇ ଖୁବ୍ ଆଲୋଚନା ପାଲଟିଥିଲା। କଲେକସନ ବିଷୟରେ କହିବାକୁ ଗଲେ ଅଜୟ ଦେବଗନଙ୍କ ଫିଲ୍ମ ଥାଙ୍କ ଗଡ୍କୁ ଟକ୍କର ଦେଇଥିଲା । ହେଲେ ବଜେଟ୍ ଅନୁଯାୟୀ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହି ସମୟରେ ଅକ୍ଷୟ ପ୍ରଶଂସକଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି। ଯାହାକୁ ଶୁଣି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।
ସେ ତାଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଅକ୍ଷୟ କୁମାର ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ‘ବେଡାତ ମରାଠେ ବୀର ଦୌଲାତ୍ ସାତ୍’ ସହିତ ମରାଠୀ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଏକ ଇଭେଣ୍ଟ ଆୟୋଜିତ ହୋଇଥିଲା। ଯେଉଁଥିରେ ସଲମାନ ଖାନ ମଧ୍ୟ ନଜର ଆସିଥିଲେ।
ତାଙ୍କର ମରାଠୀ ଡେବ୍ୟୁ ଏବଂ ତାଙ୍କ ଚରିତ୍ର ବିଷୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅକ୍ଷୟ କହିଛନ୍ତି, ‘ମୋ ପାଇଁ ଏହା ଏକ ସ୍ଵପ୍ନ ସାକାର ହେବା ପରି। ବଡ଼ ପରଦାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରକୁ ଚିତ୍ରଣ ଏବଂ ଅଭିନୟ କରିବା ବହୁତ ବଡ କଥା। କହିବାକୁ ଗଲେ ‘ବେଡାତ ମରାଠେ ବୀର ଦୌଲାତ୍ ସାତ୍’ରେ କେବଳ ଛତ୍ରପତି ଶିବାଜୀ ମହାରାଜ ନୁହଁନ୍ତି, ସାତଜଣ ମରାଠି ହିରୋଙ୍କ କାହାଣୀ ପରଦାରେ ପ୍ରଦର୍ଶିତ ହେବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୨୦୨୩ ଦୀପାବଳିରେ ରିଲିଜ ହୋଇପାରେ, କିନ୍ତୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ ।