୮ ବର୍ଷ ମଧ୍ୟରେ ଜନ-ଧନ-ଯୋଜନାରେ ୪୬.୨୫ କୋଟିରୁ ଅଧିକ ହିତାଧିକାରୀ

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ଜନ-ଧନ-ଯୋଜନା ୮ ବର୍ଷ ପୂରଣ କରିଛି । ଗରିବ ଲୋକ ସେମାନଙ୍କର ସ୍ୱଳ୍ପ ସଞ୍ଚୟକୁ କିପରି ଅନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ଅନ୍ତର୍ଭୁକ୍ତ  କରିପାରିବେ ତାହା ଏହି ଯୋଜନାର ଲକ୍ଷ୍ୟ। ଏହା ଦ୍ୱାରା ଏହି ବର୍ଗର ରୋଜଗାରିଆ ଲୋକମାନେ ପ୍ରବାସରୁ ସହଜରେ ନିଜ ପରିବାରକୁ ଟଙ୍କା ପଠାଇବାର ସୁବିଧା ପାଇ ପାରୁଛନ୍ତି । ଫଳରେ ଅର୍ଥାଭାବ କାରଣରୁ ସମ୍ପୃକ୍ତ ପରିବାର ହାତଉଧାରି ଋଣ ଓ ସାହୁକାରଙ୍କ ଦ୍ୱାରସ୍ଥ ନ ହୋଇ ଆର୍ଥିକ ଶୋଷଣରୁ ସୁରକ୍ଷିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ ।

୨୦୧୪ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରୁ ତାଙ୍କର ଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଜନ-ଧନ-ଯୋଜନା (ପିଏମ୍‌ଜେଡିୱାଇ) ସମ୍ପର୍କରେ ଘୋଷଣା କରିଥିଲେ । ଏହା ପରେ ସେଇବର୍ଷ ଅଗଷ୍ଟ ୨୮ତାରିଖରେ ଯୋଜନାର ପ୍ରବର୍ତ୍ତନ ବା କାର୍ଯ୍ୟକାରିତା ଆରମ୍ଭ ହେଲା । ସେ ଦିନ ପ୍ରଧାନମନ୍ତ୍ରୀ ଏହାକୁ ବିଭିନ୍ନ ଶୃଙ୍ଖଳରୁ ଗରିବଙ୍କ ମୁକ୍ତିର ଏକ ଉତ୍ସବ ଭାବେ ବର୍ଣ୍ଣନା କରିଥିଲେ ।

ପିଏମ୍‌ଜେଡିୱାଇର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ବାର୍ତ୍ତଦେଇ କହିଛନ୍ତି ଯେ “ଆର୍ଥିକ ସମାବେଶୀକରଣ ସମାବେଶୀ ଅଭିବୃଦ୍ଧି ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ସମାଜରେ ବଞ୍ଚିତ ବର୍ଗଙ୍କ ସାମଗ୍ରିକ ଅର୍ଥନୀତିକ ବିକାଶକୁ ସୁନିଶ୍ଚିତ କରିଛି । ୨୦୧୪ ଅଗଷ୍ଟ ୨୮ଠାରୁ ପିଏମ୍‌ଜେଡିୱାଇର ସଫଳତା ଏହାର ଉପଲବ୍ଧିରେ ପ୍ରତିଫଳିତ ହୋଇଛି । ଏହି ଯୋଜନାରେ ୪୬କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ସହିତ ଏଥିରେ ୧. ୭୪ଲକ୍ଷ କୋଟି ଟଙ୍କା ଜମା ରହିଛି । ଏହି ଯୋଜନାର ସଂପ୍ରସାରଣ ଦେଶର ଗ୍ରାମ ଓ ଅର୍ଦ୍ଧସହରାଞ୍ଚଳକୁ ବ୍ୟାପିଛି ଏବଂ ସେଠାକାର ୬୭% ଜନତାଙ୍କୁ ଏହା ଲାଭ ମିଳିଛି । ଏହାଛଡା ଜନଧନ ଯୋଜନାର ଖାତାଧାରୀଙ୍କ ମଧ୍ୟରେ ୫୬% ମହିଳା ଅଛନ୍ତି । ଏହା ବ୍ୟତୀତ ୨୦୧୮ ପରେ ପିଏମ୍‌ଜେଡିୱାଇରେ କେତେକ ପରିବର୍ତ୍ତନ କରାଯାଇ ଦେଶର ନୂଆ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟାକୁ ଏହାର ଅନୁରୂପ କରାଯାଇଛି। ଆଗରୁ ଏହି ଯୋଜନାର ପ୍ରତ୍ୟେକ ପରିବାର ପାଇଁ ଜନଧନ ଯୋଜନାର ଆକାଉଣ୍ଟ ବ୍ୟବସ୍ଥା ଥିଲା। ଏବେ ତାହାକୁ ସବୁ ପରିବାରର ପ୍ରାପ୍ତ ବୟସ୍କଙ୍କ ପାଇଁ କରାଯାଇଛି। ଏହା ଫଳରେ ଡିବିଟି ବ୍ୟବସ୍ଥାର ଲାଭ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପାଇପାରୁଛନ୍ତି ଏବଂ ଯୋଜନାର ପରିସର ବ୍ୟାପକ ହୋଇଛି । ଆହୁରି ମଧ୍ୟ ରୂପେ କାର୍ଡର ପ୍ରଚଳନ କରାଯାଇ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି ।”

ଅର୍ଥମନ୍ତ୍ରୀ କହିଛନ୍ତି ଯେ “ ଆକାଉଣ୍ଟଧାରୀଙ୍କ ଅନୁମତି ସମ୍ମତିକ୍ରମେ ସେମାନଙ୍କ ଆକାଉଂଟକୁ ସେମାନଙ୍କ ମୋବାଇଲ ନମ୍ବର ଓ ଆଧାର ସହ ସମ୍ପୃକ୍ତ ବ୍ୟବସ୍ଥା କରାଯାଇଛି ଯାହା  ‘ଜାମ୍ ଟ୍ରିନିଟି(ଜନଧନ ଆକାଉଣ୍ଟ, ଆଧାର ଓ ମୋବାଇଲ-ତ୍ରୟର ସଂଯୋଗୀକରଣ) ନାମରେ ପରିଚିତ। ଏହା ଦେଶର ଆର୍ଥିକ ସମାବେଶୀକରଣ ପ୍ରକ୍ରିୟାର ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି । ଏହା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ଅର୍ଥ ଆକାରରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଅବିଳମ୍ବେ ପହଞ୍ôଚପାରୁଛି । ଏହି ପ୍ରତ୍ୟକ୍ଷ ଲାଭ ଯୋଗଣ ବ୍ୟବସ୍ଥା ବା ଡିବିଟି କରୋନା ମହାମାରୀ ସମୟରେ ବେଶ୍ ଉପଯୋଗୀ ପ୍ରମାଣିତ ହୋଇଥିଲା । ଏହି ସମୟରେ ପିଏମ୍ କିଷାନ, ପିଏମ୍‌ଜିକେପି ଏବଂ ପିଏମ୍‌ଜେଡିୱାଇର ମହିଳା ହିତାଧିକାରୀଙ୍କୁ ସରକାର ଡିବିଟି ବ୍ୟବସ୍ଥାରେ ଅର୍ଥ ଠିକ୍ ସମୟରେ ଯୋଗାଇବାରେ ସଫଳ ହୋଇଥିଲେ ।

ଅର୍ଥମନ୍ତ୍ରୀ ତାଙ୍କ ବାର୍ତ୍ତାର ଶେଷରେ ଲେଖିଛନ୍ତି, “ଆର୍ଥିକ ସମାବେଶୀକରଣ ନୀତିଭିତ୍ତିକ ପ୍ରୟାସ ଆବଶ୍ୟକ କରେ । ଏଥିରେ  ଆର୍ଥିକ ସାମଗ୍ରୀ, ସୂଚନା, ଯୋଗାଯୋଗ ଟେକ୍‌ନୋଲୋଜି ଓ ଡାଟା ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ହାସଲ କରିବା ପାଇଁ ଦେଶ ପିଏମ୍‌ଜେଡିୱାଇର ପ୍ରବର୍ତ୍ତନକାଳରୁ ଆବଶ୍ୟକ ରଣନୀତି ଆପଣାଇଛି । ଏହା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଜନାର ସର୍ବାଧିକ ଲାଭ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । ପିଏମ୍‌ଜେଡିୱାଇକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସବୁ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାକୁ ସେ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି ।

ପିଏମ୍‌ଜେଡିୱାଇ ପ୍ରବର୍ତ୍ତନର ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ୍ କହିଛନ୍ତି, “ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଆର୍ଥିକ ସମାବେଶୀ କ୍ଷେତ୍ରରେ କେବଳ ଭାରତରେ ନୁହେଁ  ସମଗ୍ର ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ପଦକ୍ଷେପ । ଏହାର ପ୍ରଭାବ ବେଶ୍ ସୁଦୂର ପ୍ରସାରୀ । ସମାବେଶୀ ଅଭିବୃଦ୍ଧି ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେଣୁ ସରକାର ଏହା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି  । ଏହା ଦ୍ୱାରା ଗରିବ ଲୋକମାନେ ନିଜର କଷ୍ଟଲବ୍ଧ ସୀମିତ ସଞ୍ଚୟକୁ ସୁବିଧାରେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏହାଫଳରେ ଏହି ଦରିଦ୍ର ବର୍ଗର ରୋଜଗାରିଆ ଲୋକମାନେ ପ୍ରବାସରୁ ସହଜରେ ନିଜର ପରିବାରକୁ ଟଙ୍କା ପଠାଇପାରୁଛନ୍ତି ।

Related Articles

Back to top button