ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ର ଓ କର୍ଣ୍ଣାଟକର କିଛି ସ୍ଥାନରେ ସ୍କୁଲ ଛୁଟି

ପୁରା ଦେଶରେ ମୌସୁମୀ ସକ୍ରିୟ ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟରେ ମଧ୍ୟ ବର୍ଷାଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ର ଓ କର୍ଣ୍ଣାଟକର କିଛି ସ୍ଥାନରେ ସ୍କୁଲ ଛୁଟି କରିଦିଆଯାଇଛି। ପୁଣେରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ। ମାୟା ନଗରୀ ମୁମ୍ବାଇରେ ଜଳାର୍ଣ୍ଣବ ଦେଖାଯାଇଛି।  ପୁଣେରେ ବର୍ଷା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ବର୍ଷା କାରଣରୁ ସହରର ଅନେକ ସ୍ଥା‌ନରେ ଜଳଭର୍ତ୍ତି ହୋଇଛି। ବର୍ଷାର ପରିମାଣ ଏତେ ବଢ଼ି ଯାଇଛି ଯେ, ପାଖାପାଖି ୧୫ଟି ହାଇସିଂ ସୋସାଇଟିରେ ବର୍ଷା ପାଣି ପ୍ରବେଶ କରିଛି। ପୁଣେ ସହରର ୪ଟି ଭିନ୍ନଭିନ୍ନ ସ୍ଥାନରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି। ପୁଣେ ପିମ୍ପରୀ ଚିଚୱାଡ ସହରରେ ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି କରିଦିଆଯାଇଛି। ପାଲଘରରେ ମଧ୍ୟ ଗୁରୁବାର ସ୍କୁଲ-କଲେଜ ଛୁଟି ଘୋଷଣା ହୋଇଛି। ସେହିପରି କର୍ଣ୍ଣାଟକର ବେଲଗାଭୀରେ ସ୍କୁଲ-କଲେଜ ବନ୍ଦ ହେବାର କାରଣ ପାଲଟିଛି ବର୍ଷା।

ପୁଣେ ଓ କୋହ୍ଲାପୁର ପୁରର ଅନେକ ଅଞ୍ଚଳରେ ଜଳମଗ୍ନ ସାଧାରଣ ଜୀବନକୁ ପ୍ରଭାବିତ କରିଛି। ରାସ୍ତା ଜଳମଗ୍ନ କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ତିନିଟି ଦଳ ଏକତା ନଗର, ସିହ୍ନାଗଡ ରୋଡ ଏବଂ ଭର୍ଜେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି। କେତେକ ସ୍ଥାନରେ ୩ ଫୁଟ ପର୍ଯ୍ୟନ୍ତ ଜଳ ଅଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପରିସ୍ଥିତିର ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କହିଛନ୍ତି। ପୁଣେ କଲେକ୍ଟର ସୁହାସ ଦିୱାସେ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥାନ ୪୮ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button