ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କର ପରଲୋକ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କର ଗତକାଲି ଆମ୍ରି ହସ୍ପିଟାଲରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଗତକାଲି ଅପରାହ୍ନରେ ପୁଣି ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଅଭିଳାଷ, ପତ୍ନୀ ସୁଶୀଳା, ପୁତୁରା ଗୋପାଳ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ଵର୍ଗତ ମହାରଣା ସମ୍ବାଦ ଓ ପ୍ରମେୟ ପରି ପ୍ରମୁଖ ଖବରକାଗଜରେ ପ୍ରତିନିଧି ଭାବେ କାମ କରୁଥିଲେ। ୨୦୧୬ରେ ସେ ସମ୍ବାଦରୁ ଅବସର ନେବା ପରେ ପ୍ରମେୟରେ କାମ କରୁଥିଲେ।
ଗଜେନ୍ଦ୍ର ମହାରଣା ଗଞ୍ଜାମ ଜିଲ୍ଲା ଆସିକାର ମୂଳ ବାସିନ୍ଦା। ସେ ଜଣେ ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ତାଙ୍କର ବିୟୋଗ ଖବର ପ୍ରଚାର ହେବାପରେ ବିିିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।