ରଣଜୀ ଫାଇନାଲରେ ୪୧ ଥରର ଚାମ୍ପିୟନ ମୁମ୍ବାଇକୁ ୬ ୱିକେଟରେ ହରାଇ ପ୍ରଥମ ଥର ଟାଇଟଲ ଜିତିଲା ମଧ୍ୟପ୍ରଦେଶ

ନୂଆଦିଲ୍ଲୀ: ୪୧ ଥରର ଚାମ୍ପିୟନ ମୁମ୍ୱାଇକୁ ହରାଇ ପ୍ରଥମ ଥର ରଣଜୀ ଚାମ୍ପିୟନ ହୋଇଛି ମଧ୍ୟ ପ୍ରଦେଶ । ଫାଇନାଲ ମୁକାବିଲାରେ ୬ ୱିକେଟରେ ହରାଇ ପ୍ରଥମ ଥର ଟାଇଟଲ କବଜା କରିଛି । ମ୍ୟାଚର ଶେଷ ଦିନରେ ମୁମ୍ୱାଇ ମଧ୍ୟ ପ୍ରଦେଶ ଆଗରେ ୧୦୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ମଧ୍ୟ ପ୍ରଦେଶ ଟିମ୍ ଏହି ବିଜୟ ଲକ୍ଷ୍ୟକୁ ୨୯.୫ ଓଭରରେ ହାସଲ କରିଛି । ମଧ୍ୟ ପ୍ରଦେଶର ଏହି ବିଜୟର ନାୟକ ହୋଇଛନ୍ତି ୟଶ ଦୁବେ, ଶୁଭମ ଶର୍ମା ଏବଂ ରଜତ ପାଟିଦାର। ପ୍ରଥମ ଇନିଂସରେ ଏମାନେ ଶତକ ହାସଲ କରି ଟିମକୁ ମଜବୁତ କରିଥିଲେ। ଏହି ଐତିହାସିତ ବିଜୟ ସହ ମଧ୍ୟ ପ୍ରଦେଶର ୬୭ ବର୍ଷର ଅପେକ୍ଷର ଅନ୍ତ ହୋଇଛି।

ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁମ୍ୱାଇ ସରଫରାଜ ଖାନଙ୍କ ଶତକ ବଳରେ ୩୭୪ ରନ କରିଥିଲା। ଅନ୍ୟପଟେ ମଧ୍ୟ ପ୍ରଦେଶ ପ୍ରଥମ ଇନିଂସରେ ୫୩୬ ରନ ବୋର୍ଡରେ ଲଗାଇ ୧୬୨ର ଲିଡ୍ ହାସଲ କରି ମ୍ୟାଚରେ ନିଜ ସ୍ଥିତିକୁ ଅଧିକ ମଜବୁତ କରିଥିଲା। ମଧ୍ୟ ପ୍ରଦେଶ ପାଇଁ ୟଶ ଦୁବେ, ଶୁଭମ ଶର୍ମା ଏବଂ ରଜତ ପାଟିଦାର ଶତକ ହାସଲ କରିଥିଲେ।

ପ୍ରଥମ ଇନିଂସରେ ପଛରେ ରହିବା ପରେ ମୁମ୍ୱାଇ ଆଉ ମ୍ୟାଚକୁ ଫେରି ପାରି ନଥିଲା। ନିୟମ ଅନୁସାରେ ଯଦି ପଞ୍ଚମ ଦିନ ସୁଦ୍ଧା ଫାଇନାଲ ମ୍ୟାଚର ରେଜଲ୍ଟ ନ ଆସେ ତେବେ ପ୍ରଥମ ଇନିଂସର ରନରେ ଆଗୁଆ ଥିବା ବିଜେତା ଘୋଷିତ ହୋଇଥାଏ ।

ଦ୍ୱିତୀୟ ପାଳରେ ମୁମ୍ୱାଇ ଟିମ ଅଧିକ ରନ ବୋର୍ଡରେ ଲଗାଇବା ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ୨୬୯ ରନରେ ଆଉଟ ହୋଇଯାଇଥିଲା। କୁମାର କାର୍ତ୍ତିକେୟ ୪ ୱିକେଟ ନେଇ ମୁମ୍ୱାଇ ଟିମକୁ ଝଟକା ଦେଇଥିଲେ। ଏହାପରେ ୧୦୮ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟ ପ୍ରଦେଶ ୨୯.୫ ଓଭରରେ ହାସଲ କରିଥିଲା। ଦ୍ୱିତୀୟ ଇନିସଂରେ ହିମାଂଶୁ ୩୭ ରନ, ଶୁଭମ ଏବଂ ପାଟିଦାର ୩୦-୩୦ ରନ କରିଥିଲେ । ପାଟିଦାର ୱିନିଂ ସଟ୍ ଖେଳିଥିଲେ ଏବଂ ଶେଷ ଯାଏଁ ଅପରାଜିତ ଥିଲେ।

Related Articles

Back to top button