ଖାଦ୍ୟ ସୁରକ୍ଷା ଆଇନରେ ୪ ବର୍ଷରେ ଓଡ଼ିଶାକୁ ମିଳିଛି ୩୦,୨୮୫.୯୨ କୋଟି ଟଙ୍କା ସବ୍‌ସିଡି

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍‌ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କାର୍ଯ୍ୟକାରୀ କରୁଛି।

ତେବେ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ଖାଦ୍ୟ ସବସିଡି ଜାରି କରାଯାଏ। ଏହି ଉଦ୍ଦେଶ୍ୟ ଲାଗି, ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ଏବଂ ଏମଓୟୁରେ ଦିଆଯାଇଥିବା ସର୍ତ୍ତାବଳୀଗୁଡ଼ିକୁ ରାଜ୍ୟ ସରକାରମାନେ ପାଳନ କରିବାର ଆବଶ୍ୟକତା ରହିଛି। ପ୍ରଚଳିତ ମାର୍ଗଦର୍ଶିକା, ଅସ୍ଥାୟୀ ଖର୍ଚ୍ଚ ପତ୍ରିକା, ଓପନିଂ ଓ କ୍ଲୋଜିଂ ବାଲାନ୍ସ ଷ୍ଟକ, କ୍ରୟ, ଏନଏଫଏସଏ ଏବଂ ଅନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ଖାଦ୍ୟଶସ୍ୟର ଆବଣ୍ଟନ ଓ ବିତରଣ, ଏଫସିଆଇ ରିକନସିଏଲେସନ ବା ତଥ୍ୟ ମେଳ କରାଯିବା, ଉପଯୋଗିତା ପ୍ରମାଣପତ୍ର ଆଦିକୁ ଆଧାର କରି ଖାଦ୍ୟ ସବସିଡି ବାବଦରେ ମିଳିବାକୁ ଥିବା ଅର୍ଥରାଶି ହିସାବ କରାଯାଇଥାଏ।

ଓଡ଼ିଶା ସରକାରଙ୍କ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ପକ୍ଷରୁ ଗ୍ରହଣୀୟ ଖାଦ୍ୟ ସବସିଡି ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ଜାରି କରାଯାଉଛି । ଲକ୍ଷ୍ୟ ଆଧାରିତ ସାର୍ବଜନୀନ ବିତରଣ ପ୍ରଣାଳୀ (ଟିପିଡିଏସ)/ଅନ୍ୟ କଲ୍ୟାଣକାରୀ ଯୋଜନା (ଓଡବ୍ଲୁଏସ) ଅଧୀନରେ ଡିଏଫପିଡି ପରିବର୍ତ୍ତନୀୟ ଖର୍ଚ୍ଚର ୯୫% ପର୍ଯ୍ୟନ୍ତ ଏବଂ ସ୍ଥାୟୀ ଖର୍ଚ୍ଚର ୧୦୦% ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ବିତରଣ ଉପରେ ରାଜ୍ୟ ସରକାରଙ୍କ ଖର୍ଚ୍ଚକୁ ଭରଣା କରିଥାଏ। ଡିଏଫପିଡି/ଏଫସିଆଇ ନିରୀକ୍ଷଣ ଦଳ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ନିମ୍ନମାନର ଖାଦ୍ୟଶସ୍ୟ ପରିମାଣକୁ କାଟି ଦେବା ପରେ ଖାଦ୍ୟ ସବସିଡି ଜାରି କରାଯାଏ।

ଗତ ଚାରି ବର୍ଷ ଧରି, ସବୁ ରାଜ୍ୟ ଅନ୍ନବିତରଣ ପୋର୍ଟାଲରେ ସେମାନଙ୍କର ସଦ୍ୟତମ ବିତରଣ ତଥ୍ୟ ଦାଖଲ କରିବା ସହିତ ତଦନୁଯାୟୀ, ପୋର୍ଟାଲର ତଥ୍ୟ ସହିତ ମେଳ କରିବା ପରେ ନିଜ ସବସିଡି ଦାବି ଦାଖଲ କରିଛନ୍ତି । ଅନ୍ନବିତରଣ ପୋର୍ଟାଲରେ ରାଜ୍ୟ ସରକାରଙ୍କ ଦ୍ୱାରା ଦାବି କରାଯାଇଥିବା ବିତରଣ ତଥ୍ୟ ଏହି ପୋର୍ଟାଲରେ ଥିବା ତଥ୍ୟ ସହିତ ମେଳ ନଖାଇବା, ଚୂଡ଼ାନ୍ତ କରିବା ଲାଗି ଅଡିଟ୍‌ ହୋଇଥିବା ଏକାଉଣ୍ଟ ତଥ୍ୟ ଦାଖଲ କରାନଯିବା, ଗୁଣବତ୍ତା ସହ ଜଡ଼ିତ କାରଣକୁ ନେଇ ବିଭାଗ ଅସ୍ଥାୟୀ ରୂପରେ କିଛି ପରିମାଣର ସବସିଡି ଅର୍ଥରାଶି ଜାରି କରିବା ଉପରେ ରୋକ୍‌ ଲଗାଇଛି । ସବୁ ରାଜ୍ୟ ପାଇଁ ଏହି ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାକୁ ୩୦,୨୮୫.୯୨ କୋଟି ଟଙ୍କା ଜାରି କରାଯାଇଛି । ନିକଟରେ ରାଜ୍ୟକୁ ୨୦୮୪.୯୦ କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦିଆଯାଇଥିବା କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ କହିଛି ।

Related Articles

Back to top button