ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ମୃତକଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚିଥିବାବେଳେ ୧୫୦୦ରୁ ଅଧିକ ବ୍ୟକ୍ତି ଆହତ

ଆଜି ସକାଳେ ଆଫଗାନିସ୍ତାନ ପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ ଯୋଗୁଁ ମୃତ୍ୟସଂଖ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚିଥିବାବେଳେ ୧୫୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଅନେକ ବିଦେଶୀ ଉଦ୍ଧାରକାରୀ ସଂସ୍ଥା ଦେଶ ଛାଡି ଚାଲିଯାଇଥିବାରୁ ଏଭଳି ପରିସ୍ଥିତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ। ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋସ୍ତ ନଗରୀଠାରୁ ୪୪ କିଲୋମିଟର୍‌ ଦୂରରେ ସଂଘଠିତ ଏହି ଭୂମିକମ୍ପ ଭୂଗର୍ଭର ୫୧ କିଲୋମିଟର୍‌ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା।

‘ୟୁରୋପିୟାନ୍‌ ମେଡିଟରେନିୟାନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ ଟୁଇଟ୍‌ କରି ଲେଖିଛି, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଭାରତ ସମେତ ୫୦୦ କିଲୋମିଟର୍‌ ପରିମିତ ଅଞ୍ଚଳରେ ଉକ୍ତ ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା। ତାଲିବାନ ସରକାରଙ୍କ ଡେପୁଟି ମୁଖପାତ୍ର ବିଲାଲ କରିମି କହିଛନ୍ତି ଯେ ଭୂକମ୍ପରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ମୁଁ ସାହାଯ୍ୟ ପାଇଁ ସମସ୍ତ ଉଦ୍ଧାରକାରୀ ଏଜେନ୍ସିକୁ ନିବେଦନ କରୁଛି। କାବୁଲରେ ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖୁଣ୍ଡ ଉଦ୍ଧାର କାର୍ଯ୍ୟକୁ ନେଇ ଏକ ଜରୁରୀ ବୈଠକ ଡାକିଛନ୍ତି।

ଏଥି ସହିତ ଆଫଗାନିସ୍ତାନ ସୀମା ନିକଟରେ ପାକିସ୍ତାନର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ବିବୃତ୍ତିରେ ଦୁଃଖ ପ୍ରକାଶ କରିବା ସହ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି।

Related Articles

Back to top button