
କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୨୩ ଜଣ ମୃତ, ୨୭ ଜଣ ଗୁରୁତର
କାବୁଲ: ଶୁକ୍ରବାର ଆଫଗାନିସ୍ତାନର କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ଅନ୍ୟ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି । ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଏକାଠି ହୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ହଜାରା ଏବଂ ଶିୟା ଥିଲେ । ହଜାରା ଆଫଗାନିସ୍ତାନର ତୃତୀୟ ସବୁଠୁ ବଡ଼ ସମୁଦାୟ ।
ସ୍ଥାନୀୟ ପୋଲିସ ମୁଖପାତ୍ରଙ୍କ ଅନୁସାରେ, ‘ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ଜଣେ ବିସ୍ଫୋରକ ସହ ଶିକ୍ଷାନୁଷ୍ଠାନକୁ ପ୍ରବେଶ କରିଥିଲା। ଦୁଃଖର ଖବର ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି’।
ବିସ୍ଫୋରଣ ପରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ବିସ୍ଫୋରଣରେ ମୃତ ଲୋକଙ୍କ ଶରୀର ଦେଖିବାକୁ ମିଳୁଛି। ଅନ୍ୟପଟେ ସ୍ଥାନୀୟ ଲୋକେ ଆହତଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି।
ଦେଶରେ ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ଅବଦୁଲ ନାଫୀ ଟାକୋର ଅନୁସାରେ,’ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଆକ୍ରମଣ କିପରି ହେଲା ଏବଂ କେତେ ଜଣ ଏଥିରେ ପ୍ରଭାବତି ହୋଇଛନ୍ତି ସେ ବାବଦରେ ପରେ ବିସ୍ତୃତରେ ସୂଚନା ଦିଆଯିବ’।
ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ନୀରିହ ଲୋକଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ଶତ୍ରୁର ଅମାନବୀୟ ଜଘନ୍ୟ କାଣ୍ଡ ଏବଂ ନୈତିକତାର ଅଭାବକୁ ଦର୍ଶାଉଛି। ଏହାସହ ମୃତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ଅଧିକାରୀ କହିଛନ୍ତି।