ବାଂଲାଦେଶରେ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ: ୬ ଜଣଙ୍କ ମୃତ୍ୟୁ, ୩୦ ଜଣ ଆହତ
କେଶବପୁର: ବାଂଲାଦେଶର ଚିତରଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୬ ମୃତକଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଅକ୍ସିଜେନ୍ ପ୍ଲାଣ୍ଟର କର୍ମଚାରୀ। ଏବଂ ଅନ୍ୟ ଜଣେ ମୃତକ ହେଉଛନ୍ତି ନିକଟସ୍ଥ ଦୋକାନୀ । ଅକ୍ସିଜେନ୍ ପ୍ଲାଣ୍ଟ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଏକ ଦୋକାନ କରିଥିଲେ । ଆଉ ତାଙ୍କ ଉପରେ ବିସ୍ଫୋରଣ ଯୋଗୁଁ ଏକ ବସ୍ତୁ ପଡିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ନାଁ ହେଉଛି ଶମଶୁଲ ଆଲମ ବୟସ (୬୫)।
ବିସ୍ଫୋରଣ ପରେ ଅକ୍ସିଜେନ୍ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଦୀର୍ଘ ସମୟ ଧରି ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଥିଲେ । ତେବେ ବିସ୍ଫୋରଣ କେଉଁ କାରଣ ଯୋଗୁଁ ହୋଇଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମନ୍ଦବୀର ହାଟ ନିବାସୀ ରେଡବାନୁଲ ହକ କହିଛନ୍ତି, ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଧୂଆଁ ବ୍ୟାପିଯାଇଥିଲା । ଅତିକମରେ ୧୨ ଜଣ କର୍ମଚାରୀଙ୍କୁ ପ୍ଲାଣ୍ଟରୁ ବାହାର କରାଯାଇଥିଲା । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା।
ସୂଚନା ଥାଉକି, ଗତବର୍ଷ ଜୁନରେ ବିଏମ କଣ୍ଟେନର ଡିପୋରେ ନିଆଁ ଲାଗିବା ଯୋଗୁଁ ୫୧ ଲୋକଙ୍କର ମୃତ୍ୟୁହୋଇଥିଲା । ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।