ଋଷର ୬ଟି ଗୁଇନ୍ଦା ବେଲୁନକୁ ମିସାଇଲ୍ ମାଡ କରି ଖସାଇଲା ୟୁକ୍ରେନ୍

କିଭ୍: ବର୍ଷେ ହେଲା ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନ୍‌ର ସୈନ୍ୟ ଠିକଣା ଖୋଜିବାକୁ ଗୁଇନ୍ଦା ବେଲୁନ ଛାଡ଼ିଥିଲା ଋଷ। କିଭ୍ ଆକାଶରେ ବେଲୁନ ଦେଖିବା ପରେ ମିସାଇଲ୍ ମାଡ଼ କରି ଖସାଇଲା ୟୁକ୍ରେନ୍। ଏନେଇ ୟୁକ୍ରେନ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। କିଭ୍ ଆକାଶରେ ଦେଖାଯାଇଥିବା ୬ଟି ଗୁଇନ୍ଦା ବେଲୁନ୍‌କୁ ଗୁଳି କରି ଖସାଇ ଦିଆଯାଇଛି। ଏହି ବେଲୁନଗୁଡ଼ିକରେ ରିଫ୍ଲେକ୍ଟର ସାଙ୍ଗଗକୁ ଅସ୍ତ୍ରଶସ୍ତ୍ର ଅନୁସନ୍ଧାନକାରୀ ସାମଗ୍ରୀ ଲାଗିଥିଲା ବୋଲି କିଭ୍ କହିଛି।

ତେବେ ବେଲୁନ ରାଜଧାନୀ ଆକାଶରେ ଉଡ଼ିଛି କି ନାହିଁ ଏହା ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣର ଆଗୁଆ ସୂଚନା ଦେଇଛି ୟୁକ୍ରେନ୍ ସେନା।  ଏହି ବେଲୁନଗୁଡ଼ିକ ପବନ ଗତି ସହ ସନ୍ତୁଳିତ ହୋଇ ଉଡ଼ିଥିଲେ। ଆମ ସେନା ଠିକଣାର ଖବର ନେବା ପାଇଁ ବୋଧହୁଏ ଏହି ବେଲୁନ ଉଡ଼ୁଥିଲା ବୋଲି ୟୁକ୍ରେନ୍ ସେନା ପକ୍ଷରୁ କୁହାଯାଇଛି।

ଏନେଇ ୟୁକ୍ରେନ୍ ସେନା ପ୍ରବକ୍ତା ୟୁରିୟ ଇହନାତ କହିଛନ୍ତି ଯେ ଋଷିଆ ଏଭଳି ବେଲୁନ ମାଧ୍ୟମରେ ମଧ୍ୟ ଆକ୍ରମଣ କରିପାରେ। ଋଷିଆ ବର୍ତ୍ତମାନ Orlan-10 ଡ୍ରୋନ୍ ବ୍ୟବହାର କରୁଛି। ତେଣୁ ବେଲୁନ ମାଧ୍ୟମରେ ସେମାନେ ଡ୍ରୋନ୍ ବ୍ୟବହାର କରୁଥାଇ ପାରନ୍ତି ବୋଲି ୟୁକ୍ରେନ୍ ସେନା ପ୍ରବକ୍ତା କହିଛନ୍ତି। ତେବେ ସମ୍ଭାବ୍ୟ ଆକ୍ରମଣ ନେଇ କିଏଭ୍‌ରେ ଆଲର୍ଟ ସାଇରନ୍ ବଜାଯାଇଛି। ଋଷ ଏଭଳି ବେଲୁନ ଛାଡ଼ି ଆମର ବାୟୁସେନାକୁ ଆହ୍ୱାନ ଦେବାକୁ ଚାହୁଁଛି ବୋଲି ସେନା ପ୍ରବକ୍ତା କହିଛନ୍ତି।

Related Articles

Back to top button