ଦିନକରେ ରୁଷ୍ର ପ୍ରାୟ ୮୦୦ ସୈନ୍ୟଙ୍କୁ ମାରିଲା ୟୁକ୍ରେନ
କିଭ୍ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପାଶ୍ଚାତ୍ୟ ରାଷ୍ଟ୍ରର ଶକ୍ତି ସାମର୍ଥ୍ୟ ବଳରେ ୟୁକ୍ରେନ ଏହାର ଆକ୍ରମଣକୁ ଜୋର କରିବାରେ ଲାଗିଛି। ଏହି କ୍ରମରେ ବୁଧବାର ୟୁକ୍ରେନ ଦାବି କରିଛି ଯେ ଏହା ରୁଷ୍ର ପ୍ରାୟ ୮୦୦ ସୈନ୍ୟଙ୍କୁ ନିପାତ କରିଛି। ୟୁକ୍ରେନ ସେନା ଏହାର ଦୈନିକ ଯୁଦ୍ଧ ସୂଚନାରେ କହିଛି ଯେ ପୂର୍ବ ଡୋନେକ୍ସ ଅଞ୍ଚଳରେ ଥିବା ରୁଷ୍ର ସେନା ଆକ୍ରମଣ ହୋଇଛି। ଏଥିରେ ପ୍ରାୟ ୮୦୦ ସୈନିକ ପ୍ରାଣ ହରାଇଛନ୍ତି। ଏହା ସହିତ ରୁଷ୍ର ଏକ ଯୁଦ୍ଧବିମାନ, ଗୋଟିଏ ହେଲିକପ୍ଟର ଓ ତିନିଟି ଟ୍ୟାଙ୍କ ଧ୍ବଂସ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ ସେନାର ଏହି କ୍ଷୟକ୍ଷତି ଘଟିଛି। ଏହା ପୂର୍ବରୁ ଜାନୁଆରୀ ୨ ତାରିଖରେ ୟୁକ୍ରେନ ସେନା ଆକ୍ରମଣରେ ରୁଷ୍ର ପ୍ରାୟ ୪୦୦ ସୈନ୍ୟ ପ୍ରାଣ ହରାଇଥିଲେ। ତେବେ ରୁଷ୍ର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବିଷୟ କିଭ୍ କହିଛି। ଡୋନେକ୍ସ ଅଞ୍ଚଳର ବାଖମୁତ, କୋସ୍ତିଆନ୍ତିଭାକା ଓ କୁରାଖୋଭ ସହର ଏବେ ୟୁକ୍ରେନ ନିୟନ୍ତ୍ରଣରେ ଥିବାରୁ ଏଠାରେ ରୁଷ୍ କ୍ଷେପଣାସ୍ତ୍ର ମାଡ କରିଛି। ମାତ୍ର ରୁଷ୍ କହିଛି ଯେ ଏହା ସାମରିକ ଅଭିଯାନରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁ ନାହିଁ। ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡୋନେକ୍ସର ବାଖମୁତ ଅଞ୍ଚଳରେ ଏବେ ଯୁଦ୍ଧ ଘମାଘୋଟ ଲାଗିଛି। ଆଗାମୀ ଦିନରେ ଏହି ଯୁଦ୍ଧ ଆହୁରି ତୀବ୍ର ହେବ। ଅନ୍ୟପଟେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ବାଖମୁତ ବାହାରେ ୟୁକ୍ରେନ ସେନା ରୁଷ୍ର ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ହାନା ମାଲୟାର ଟେଲିଗ୍ରାମ ଆପ୍ରେ ଲେଖିଛନ୍ତି ଯେ ରୁଷ୍ ସେନାର ବ୍ୟାପକ କ୍ଷତି ଘଟିବା ଦ୍ବାରା ଏହା ଆଗାମୀ ଦିନରେ ନିଜର ସେନା ଅଭିଯାନକୁ ତୀବ୍ର କରିବାର ଆଶଙ୍କା ରହିଛି। ୟୁକ୍ରେନର ଏପରି ଦାବିକୁ ରୁଷ୍ ଅସ୍ବୀକାର କରିଛି। ରୁଷ୍ କହିଛି ଯେ ଏହାର ଅଧିକୃତ ଝାପୋରିଝାଜିଆ ଅଞ୍ଚଳରେ ୟୁକ୍ରେନର ରକେଟ୍ ମାଡରେ ୫ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୫ଜଣ ଆହତ ହୋଇଛନ୍ତି। ୨୦୨୨ ଫେବୃଆରୀ ୨୪ରୁ ୟୁକ୍ରେନ ବିରୋଧରେ ରୁଷ୍ ସାମରିକ ଅଭିଯାନ ଚଳାଇ ଆସିଛି। ଫଳରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି।
ଯୁଦ୍ଧ ନୂଆ ମୋଡ ନେଉଥିବାବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସର୍ତ୍ତଭିତ୍ତିକ ଶାନ୍ତି କଥାବାର୍ତ୍ତାର ପ୍ରସ୍ତାବ ଦେଇଛନ୍ତି। ଶାନ୍ତି କଥାବାର୍ତ୍ତାର ମଧ୍ୟସ୍ଥ ତଥା ତୁର୍କୀ ରାଷ୍ଟ୍ରପତି ତୟିପ ଏର୍ଦୋଗାନଙ୍କୁ ପୁଟିନ ନିଜର ସର୍ତ୍ତ ବିଷୟରେ କହିଛନ୍ତି । ଗୁରୁବାର ଏର୍ଦୋଗାନଙ୍କୁ ଫୋନ କରି ପୁଟିନ ନିଜର ନୂଆ ପ୍ରସ୍ତାବ ବିଷୟରେ ଜଣାଇଛନ୍ତି। ପୁଟିନଙ୍କ ସର୍ତ୍ତ ହେଉଛି ୟୁକ୍ରେନର ଯେଉଁ ସବୁ ଅଞ୍ଚଳକୁ ରୁଷ୍ ଅଧିକାର କରିଛି ସେସବୁକୁ ୟୁକ୍ରେନ ନିଜ ଭୂଖଣ୍ଡରୁ ବାଦ୍ ଦେବାକୁ ହେବ। ରୁଷ୍ ଏବେ ୟୁକ୍ରେନର ଡୋନେକ୍ସ, ଲୁଗାନସ୍କ, ଝାପୋରଝାଜିଆ ଓ ଖେରସନ ଅଞ୍ଚଳକୁ ଅକ୍ତିଆର କରିଛି। ଏହି ସବୁ ଅଞ୍ଚଳକୁ ରୁଷ୍ ନିଜର ସାର୍ବଭୌମତ୍ବର ଅଂଶ ବିଶେଷ ଭାବେ ଘୋଷଣା କରିଛି। ମାତ୍ର ୟୁକ୍ରେନ ଏହାକୁ ଗ୍ରହଣ କରିବାକୁ ନାରାଜ। ୟୁକ୍ରେନ ନିଜର ଏହି ଅଞ୍ଚଳକୁ ରୁଷ୍ ଅଧୀନର ମୁକ୍ତ କରିବାକୁ ଯୁଦ୍ଧ ଚଳାଇଛି। ଅନ୍ୟପଟେ ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ ଅଭିଯାନର ଦୁଇଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ। ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଳନ ପାଇଁ ଗୁରୁ ଓ ଶୁକ୍ର ଦୁଇଦିନ ଅସ୍ତ୍ରବିରତି ପାଳନ ହେବ। ୟୁକ୍ରେନ ପକ୍ଷକୁ ମଧ୍ୟ ଅନୁରୂପ ଅସ୍ତ୍ରବିରତି ପାଳନ ନିମନ୍ତେ ପୁଟିନ ନିବେଦନ କରିଛନ୍ତି। ଜାନୁଆରୀ ୬ ଓ ୭ ତାରିଖରେ ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଳନ ହେବ।