ଆବେଙ୍କ ହତ୍ୟାକାରୀ ଗିରଫ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶୁକ୍ରବାର ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ତାଙ୍କୁ ପଛପଟୁ ଗୁଳି କରାଯାଇଥିଲା। ଆବେଙ୍କ ବେକର ଡାହାଣ ପାର୍ଶ୍ୱରେ ଗୁଳି ବାଜିଥିବାରୁ ତାଙ୍କ ଛାତିରେ ଆଭ୍ୟନ୍ତରୀଣ ରକ୍ତତ୍ସାବ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତିଜଣଙ୍କ ତେତ୍ସୁୟା ୟାମାଗାମୀ ବୋଲି ଜଣାପଡ଼ିଛି। ତାଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି।

ପୋଲିସ ଆକ୍ରମଣକାରୀ ୟାମାଗାମୀଙ୍କ ସମ୍ପର୍କରେ ଅଧିକ ସୂଚନା ଦେଇନାହିଁ। ହେଲେ ଜାପାନର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ ଜାପାନର ସାମୁଦ୍ରିକ ଆତ୍ମରକ୍ଷା ବାହିନୀର ଜଣେ ପୂର୍ବତନ ସଦସ୍ୟ। ୨୦୦୫ ଯାଏ ସେ ସେନାରେ ୩ ବର୍ଷ ବିତାଇଛନ୍ତି। ସେ ନିଜ ହାତ ତିଆରି ବନ୍ଧୁକରେ ଆବେଙ୍କୁ ଗୁଳି କରିବା ପରେ ଖସିଯିବାକୁ ଚେଷ୍ଟା କରି ନ ଥିଲେ। ଏଣୁ ତାଙ୍କୁ ସହଜରେ କାବୁ କରାଯାଇଥିଲା।

ୟାମାଗାମୀ ତାଙ୍କ ଅପରାଧକୁ ସ୍ବୀକାର କରିଛନ୍ତି। ସେ ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିବାରୁ ଏଭଳି କାଣ୍ଡ ଘଟାଇଥିବା କହିଛନ୍ତି। ହେଲେ ଆବେଙ୍କ ରାଜନୈତିକ ମାନ୍ୟତା ଉପରେ ତାଙ୍କର ଅଭିଯୋଗ ନାହିଁ ବୋଳି ମଧ୍ୟ ସେ କହିଛନ୍ତି।

କହିରଖୁଛୁ, ପଶ୍ଚିମ ଜାପାନର ନାରାଠାରେ ଶୁକ୍ରବାର ଭାଷଣ ଆରମ୍ଭ କରିବାର ୬୭ ମିନିଟ ପରେ ଆବେଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ତୁରନ୍ତ ବିମାନ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ୨୦୨୦ରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଆବେ ଇସ୍ତଫା ଦେବା ପରେ ଦେଶର ଦୀର୍ଘତମ ସମୟ ଲାଗି ପ୍ରଧାନମନ୍ତ୍ରୀ ପାଲଟିଥିବା ନେତା ପାଲଟିଥିଲେ। ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ଭାବେ ପରିଗଣିତ ଜାପାନରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।

Related Articles

Back to top button