ଶ୍ରୀଲଙ୍କାରେ ଗଠନ ହେବ ସର୍ବଦଳୀୟ ଅନ୍ତରୀଣ ସରକାର, ରାଜି ହେଲେ ବିରୋଧୀ

ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ସମ୍ଭାବିତ ଇସ୍ତଫା ପରେ ଶ୍ରୀଲଙ୍କାରେ ଗଠନ ହେବାକୁ ଯାଉଛି ସର୍ବଦଳୀୟ ଅନ୍ତରୀଣ ସରକାର। ଏ ନେଇ ମୁଖ୍ୟ ବିରୋଧୀ ଦଳ ରବିବାର ସହମତି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଜୁଲାଇ ୧୩ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ବୋଲି ଶନିବାର ଘୋଷଣା କରିଥିଲେ। ଶନିବାର ଶ୍ରୀଲଙ୍କାରେ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ସାରିଛନ୍ତି।

ରାଜପକ୍ଷେଙ୍କ ସମ୍ଭାବିତ ଇସ୍ତଫା ପରେ ସାଂପ୍ରତିକ ଆର୍ଥିକ ସଙ୍କଟରେ ଦେଶକୁ ଆଗକୁ ନେବା ପାଇଁ ବିରୋଧୀ ଦଳ ବୈଠକ କରିଛନ୍ତି। ସମସ୍ତ ଦଳ ଭାଗିଦାରିତାର ସହ ଏକ ଅନ୍ତରୀଣ ସରକାର ଗଠନ କରିବାକୁ ସହମତି ପ୍ରକାଶ କରିଥିବା କ୍ଷମତାସୀନ ଏସଏଲପିପି ପାର୍ଟିଠୁ ଅଲଗା ହୋଇଥିବା ନେତା ବିମଲ ବୀରାସାମ୍ବା କହିଛନ୍ତି। ସେ କହିଛନ୍ତି ଏହା ଏକ ଏମିତି ସରକାର ହେବ ଯେଉଁଠି ସବୁ ଦଳର ପ୍ରତିନିଧିତ୍ଵ ରହିବେ।

ଏସଏଲପିପିଠୁ ଅଲଗା ହୋଇଥିବା ଅନ୍ୟ ଏକ ନେତା ବାସୁଦେବ ନାନାୟକାର କହିଛନ୍ତି ଜୁଲାଇ ୧୩ ପର୍ଯ୍ୟନ୍ତ ରାଜପକ୍ଷେଙ୍କ ଇସ୍ତଫାକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ଏସଜେବି ପାର୍ଟିର ସାଧାରଣ ସଂପାଦକ ରଞ୍ଜିଥ ମଦ୍ୟୁମା ବଣ୍ଡାରା କହିଛନ୍ତି ସୀମିତ ସମୟ ପାଇଁ ସମସ୍ତ ପାର୍ଟି ଅନ୍ତରୀଣ ସରକାର ଗଠନ କରିବା ଏବଂ ପୁଣି ସଂସଦୀୟ ନିର୍ବାଚନ କରାଇବା ଆମର ଲକ୍ଷ୍ୟ। ରାଜନୈତିକ ଦଳଗୁଡିକର ସୋମବାର ପୁଣି ଥରେ ବୈଠକ ହେବାକୁ ଯାଉଛି।

Related Articles

Back to top button