୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ ଇ-କମର୍ସ କମ୍ପାନି ଆମାଜନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଆମାଜନ ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ। ନିକଟରେ ଆସିଥିବା ଛଟେଇ ରିପୋର୍ଟ ତୁଳନାରେ ଏହା ଦୁଇ ଗୁଣ ଅଧିକ ରହିଛି। ରିପୋର୍ଟ ଅନୁଯାୟୀ, କମ୍ପାନି ଅନେକ ବିଭାଗରୁ ଛଟେଇ କରିପାରେ। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର, ଟେକ୍ନୋଲୋଜି ଷ୍ଟାଫ ଏବଂ କର୍ପୋରେଟ୍ ଏକଜିକ୍ୟୁଟିଭ୍‌ର କର୍ମଚାରୀ ସାମିଲ୍। ଆଗାମୀ ମାସରେ ଏସବୁ କର୍ମଚାରୀଙ୍କୁ ଛଟେଇ କରିପାରେ ଆମାଜନ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଆମାଜନର ସିଇଓ ଆଣ୍ଡି ଜେସି ନିକଟରେ ଏହାର ସୂଚନା ଦେଇଥିଲେ ଯେ, କମ୍ପାନିର ଅନେକ ବିଭାଗରୁ କର୍ମଚାରୀ ଛଟେଇ କରାଯିବ। ହେଲେ ସେ କେତେ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରାଯିବ ତାହା ସ୍ପଷ୍ଟ କରିନଥିଲେ। ନଭେମ୍ବର ମାସରେ ଆଭ୍ୟନ୍ତରୀଣ ସୂତ୍ରରୁ ଦ ନ୍ୟୁୟର୍କ ଟାଇମ୍ସ ଜଣାଇଥିଲା ଯେ, କମ୍ପାନି ୧୦ ହଜାର କର୍ମଚାରୀଙ୍କୁ କାଢିବାର ଯୋଜନା କରୁଛି।

ତେବେ ସଦ୍ୟତମ ରିପୋର୍ଟ ଅନୁସାରେ ଛଟେଇ ସଂଖ୍ୟା ଦୁଇ ଗୁଣ ହୋଇ ଯାଇଛି। ଆମାଜନ ସବୁ ସ୍ତରରେ କର୍ମଚାରୀଙ୍କୁ ବିଦା କରିବାର ଯୋଜନା କରୁଛି। ଏଥିରେ ସବୁଠୁ ଉଚ୍ଚ ପଦରେ ବସିଥିବା ଲୋକ ମଧ୍ୟ ସାମିଲ୍। କମ୍ପାନି ନିଜର ମୋଟ୍ ୧୫ ଲକ୍ଷ  କର୍ପୋରେଟ୍ ଷ୍ଟାଫରେ ୬ ପ୍ରତିଶତ ଛଟେଇ କରିବ।

ସୂତ୍ର ମୁତାବକ, ଛଟେଇ ନେଇ କର୍ପୋରେଟ୍ କର୍ମଚାରୀଙ୍କୁ ପୂର୍ବରୁ ହିଁ ସତର୍କ  କରି ଦିଆଯାଇଛି। ପ୍ରଭାବିତ କର୍ମଚାରୀଙ୍କୁ ୨୪ ଘଣ୍ଟାର ନୋଟିସ୍ ଏବଂ ସର୍ଭେନ୍ସ ପୈଠ କରାଯିବ। ଛଟେଇ ଖବର ସାମ୍ନାକୁ ଆସିବା ପରେ କମ୍ପାନି କର୍ମଚାରୀଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ଛଟେଇର କାରଣ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତେବେ କୋଭିଡ୍ ମହାମାରୀ ସମୟରେ ଆବଶ୍ୟକତାଠୁ ଅଧିକ କର୍ମଚାରୀ ନିଯୁକ୍ତ କରାଯିବା କାରଣରୁ ଏବେ ଏହି ଛଟେଇ କରାଯାଉଥିବା କୁହାଯାଉଛି। କମ୍ପାନି କ୍ଷତିକୁ ଭରଣା କରିବା ପାଇଁ ଏବେ ଏମିତି ପଦକ୍ଷେପ ନେଉଥିବା କୁହାଯାଉଛି।

Related Articles

Back to top button