ଚଳିତ ସପ୍ତାହରେ ଭାରତକୁ ମିଳିବାକୁ ଯାଉଛି ଆପାଚେ ହେଲିକପ୍ଟର

ଭାରତୀୟ ସେନାରେ ଶୀଘ୍ର ସାମିଲ ହେବାକୁ ଯାଉଛି ଆପାଚେ ହେଲିକପ୍ଟର । ଆମେରିକାରୁ ଆସୁଥିବା ଏହ ଆପାଚେ ହେଲିକପ୍ଟର ଚଳିତ ସପ୍ତାହରେ ଭାରତକୁ ମିଳିବାକୁ ଯାଉଛି । ପ୍ରଥମ ଟ୍ରିପରେ ମୋଟ୍ ୩ଟି ଆପାଚେ ହେଲିକପ୍ଟର ମିଳିବ । ଏହି ଲଢୁଆ ହେଲିକପ୍ଟରର ବିଶେଷତ୍ୱ ଏହା ଅନ୍ଧାରରେ ଟାର୍ଗେଟକୁ ଖୋଜି ଲକ୍ଷ୍ୟଭେଦ କରିବାରେ ସକ୍ଷମ । ଆମେରିକା ସେନାରେ ଦୀର୍ଘ ସମୟ ଧରି ମୁତୟନ ଏହି ହେଲିକପ୍ଟରର ଚାହିଦା ବହୁତ ଅଧିକ ରହିଛି । ଏ ପର୍ଯ୍ୟନ୍ତ ପାଖାପାଖି ୨୦ ଦେଶକୁ ଆମେରିକା ପକ୍ଷରୁ ଏହି ହେଲିକପ୍ଟର ଯୋଗାଇ ଦିଆଯାଇଛି ।

ସୂତ୍ର ଅନୁଯାୟୀ, ଭାରତ ଏହି ହେଲିକପ୍ଟରକୁ ପାକିସ୍ତାନ ସଂଲଗ୍ନ ସୀମାରେ ମୁତୟନ କରିବାକୁ ପ୍ରସ୍ତୁତି କରୁଛି । ଜୁଲାଇ ୨ରେ ପ୍ରକାଶିତ ଖବର ଅନୁସାରେ ଚଳିତ ସପ୍ତାହରେ ଏହି ହେଲିକପ୍ଟର ଭାରତକୁ ମିଳିବାକୁ ଯାଉଛି । ଏହି ହେଲିକପ୍ଟରକୁ ହାବାଇ ଟ୍ୟାଙ୍କ ବି କୁହାଯାଏ । ଆମେରିକାରୁ ଆସୁଥିବା ଏଏଚ-୬୪ଇଏସ ଆପାଚେ ହେଲିକପ୍ଟର ଗାଜିଆବାଦର ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ଅବତରଣ କରିବ । ଭାରତୀୟ ସେନା ପକ୍ଷରୁ ଏହି ହେଲିକପ୍ଟର ପାଇଁ ପ୍ରଥମରୁ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି । ଯୋଧପୁରରେ ୧୫ ମାସ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମାତ୍ର ମଝିରେ ହେଲିକପ୍ଟରର ଡେଲିଭରି ଅଟକି ଯାଇଥିଲା । ସୂଚନାଯୋଗ୍ୟ, ୨୦୧୫ରେ ଭାରତ ସରକାର ୨୨ ଆପାଚେ ହେଲିକପ୍ଟର ପାଇଁ ଆମେରିକା ସହ ଚୁକ୍ତିନାମା କରିଥିଲେ । ଉକ୍ତ ଅର୍ଡରର ପୂରା ଡେଲିଭରି ଆମେରିକା ପକ୍ଷରୁ ୨୦୨୦ ଜୁଲାଇ ସୁଦ୍ଧା ପୂରା ହୋଇ ଯାଇଥିଲା । ଏହା ପରେ ଭାରତ ୨୦୨୦ରେ ଆଉ ୬ ହେଲିକପ୍ଟର ପାଇଁ ଚୁକ୍ତିନାମା କରିଥିଲେ । ଏହି ଆଧାରରେ ପ୍ରଥମ ଟ୍ରିପର ଡେଲିଭରି ୨୦୨୪ ମେ ରୁ ଜୁନ ମାସ ମଧ୍ୟରେ ହେବାର ଥିଲା । ମାତ୍ର ଏଥିରେ ବିଳମ୍ବ ଘଟିଥିଲା ।

Related Articles

Back to top button