
ଡନ୍ ଦାଉଦ୍ ଇବ୍ରାହିମକୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ
ପାକିସ୍ତାନର କରାଚିରେ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ଏବଂ ସେ ହିଁ ଏକମାତ୍ର ରୋଗୀ ଭାବେ ରହିଥିବା ଜଣାପଡିଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୁଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ୍ ।
ଜାନୁଆରୀ ମାସରେ ଦାଉଦର ଭଉଣୀ ହସିନା ପାର୍କରଙ୍କ ପୁଅ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିକୁ କହିଥିଲା ଯେ, ଅଣ୍ଡରୱାର୍ଲଡ ଡନ୍ ଦ୍ୱିତୀୟ ବିବାହ କରିବା ପରେ କରାଚିରେ ରହୁଛି । ପାକିସ୍ତାନର କରାଚି ବିମାନ ବନ୍ଦରକୁ ଦାଉଦ ଇବ୍ରାହିମ ଓ ତା’ର ଶୀର୍ଷ ସହଯୋଗୀମାନେ ନିୟନ୍ତ୍ରଣ କରୁଥିବା ନେଇ ଏନଆଇଏ ତା’ର ଚାର୍ଜସିଟରେ କହିଛି ।