ସପ୍ତାହକୁ ୪୦ ଘଣ୍ଟା କାମ କରିବେ କର୍ମଚାରୀ

ଚିଲି: ଦୈନିକ ଆଉ ଅଧିକ ସମୟ କାମ କରିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର କର୍ମଚାରୀମାନେ ସପ୍ତାହକୁ ୪୦ ଘଣ୍ଟା କାମ କରିବେ। କର୍ମଚାରୀଙ୍କ ଦୈନିକ କାମର ଚାପ ହ୍ରାସ କରିବା ପାଇଁ ଚିଲି ସରକାର ସ୍ୱତନ୍ତ୍ର ବିଲ୍ ଆଣିବେ। ଏନେଇ ନିଜେ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ବୋରିକ ନିର୍ବାଚନ ବେଳେ ମଧ୍ୟ ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହାକୁ ପୂରଣ କରିବା ପାଇଁ ବିଲ୍‌ ଆସିବ ବୋଲି କହିଛନ୍ତି।

ଚିଲି ସରକାର ଆଣିବାକୁ ଥିବା ବିଲରେ ସାପ୍ତାହିକ କାର୍ଯ୍ୟ ସମୟରୁ ୪୫ ଘଣ୍ଟାରୁ ହ୍ରାସ କରି ୪୦ ଘଣ୍ଟା କରାଯିବ। ପ୍ରଥମେ ଏହା ୨୦୧୭ରେ ତତ୍କାଳୀନ ସାଂସଦ ତଥା ବର୍ତ୍ତମାନର ସରକାରୀ ମୁଖପାତ୍ର କାମିଲା ଭାଲ୍ଲେଜୋ ଗୃହରେ ଉପସ୍ଥାପନ କରିଥିଲେ। କିନ୍ତୁ ଏହା ଗୃହରେ ପାରିତ ହୋଇ ପାରି ନଥିଲା। ଏବେ ଏହାକୁ ପୁଣିଥରେ ଗୃହରେ ବିତର୍କ ପାଇଁ ଉପସ୍ଥାପନ କରାଯିବ।

ଚିଲିର ସାମ୍ବିଧାନିକ ନିୟମ ଅନୁଯାୟୀ, ରାଷ୍ଟ୍ରପତି ଯଦି କୌଣସି ବିଲ୍‌ ଉପରେ ବିଚାର କରିବାକୁ କହିବେ, ତା’ହେଲେ ଏହା ଉପରେ ବିତର୍କ କରିବାକୁ ସାଂସଦମାନେ ବାଧ୍ୟ। ତେଣୁ ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବାକୁ ରାଷ୍ଟ୍ରପତି ବୋରିକ କହିଥିବାରୁ, ଏ ସମ୍ପର୍କରେ ବିଲ୍‌ ଗୃହରେ ଉପସ୍ଥାପନ କରାଯିବ।

Related Articles

Back to top button