ଗତ ୨୪ ଘଣ୍ଟା ମଧ୍ୟରେ ତାଇୱାନ୍‌ ଆଡ଼କୁ ୪୩ଟି ଲଢୁଆ ବିମାନ ପଠାଇଛି ଚୀନ୍‌

ତାଇପେଇ: ଗତ ୨୪ ଘଣ୍ଟା ମଧ୍ୟରେ ଚୀନା ବାୟୁସେନାର ୪୩ଟି ଲଢୁଆ ବିମାନ ତାଇୱାନ୍‌ ପ୍ରଣାଳୀର ‘ମେଡିଆନ୍‌ ଲାଇନ୍‌’ ଅତିକ୍ରମ କରିଥିବା କଥା ଆଜି ତାଇୱାନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ନିଜର ବୋଲି ଦାବି କରୁଥିବା ତାଇୱାନ୍‌ର ଖୁବ୍‌ ନିକଟରେ ସାମରିକ କାର୍ଯ୍ୟକଳାପ ଚଳାଇଥିବା ବେଜିଙ୍ଗ୍‌ ମଧ୍ୟ କହିଛି ଯେ, ରବିବାର ଦିନ ତାଇୱାନ ଚତୁଃପାର୍ଶ୍ବସ୍ଥ ସମୁଦ୍ର ଓ ଆକାଶରେ ଚୀନ୍‌ ଆକ୍ରମଣ ସମରାଭ୍ୟାସ କରିଥିଲା। ଗଣତାନ୍ତ୍ରିକ ଧାରାରେ ଶାସିତ ତାଇୱାନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକାର କାର୍ଯ୍ୟକଳାପରେ ଉତ୍‌କ୍ଷିପ୍ତ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି।

ତାଇୱାନ୍‌ ଉପରେ ଚୀନ୍‌ର ସାର୍ବଭୌମ ଅଧିକାର ଘୋଷଣାକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରି ତାଇୱାନ୍‌ କହିଛି, ବେଜିଙ୍ଗ୍‌ ଆଞ୍ଚଳିକ ଶାନ୍ତି ନଷ୍ଟ କରୁଛି ଓ ତାଇୱାନ ଜନତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ସମରାଭ୍ୟାସରୁ ଜଣାପଡୁଛି।

ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଜାରି କରିଥିବା ମ୍ୟାପ୍‌ ଅନୁସାରେ, ଚୀନା ଲଢୁଆ ବିମାନ ସବୁ ସ୍ବଳ୍ପ ସମୟ ପାଇଁ ବିବାଦୀୟ ତାଇୱାନ୍‌ ପ୍ରଣାଳୀର ‘ମେଡିୟାନ୍‌ ଲାଇନ୍‌’ ଅତିକ୍ରମ କରିଥିଲେ।

ତାଇୱାନ୍‌ ନିକଟରେ ୭ଟି ଚୀନା ନୌସେନା ଜାହାଜ ମଧ୍ୟ ଚିହ୍ନଟ କରାଯାଇଥିଲା ବୋଲି ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ସୀମା ଅତିକ୍ରମ କରିଥିବା ଚୀନା ଲଢୁଆ ବିମାନଗୁଡ଼ିକୁ ଘଉଡ଼ାଇବା ଲାଗି ତାଇୱାନ୍‌ ମଧ୍ୟ ଲଢୁଆ ବିମାନ ପଠାଇଥିଲା। ଏହାଛଡ଼ା ତାଇୱାନ୍‌ ‘ମିସାଇଲ୍‌ ସିଷ୍ଟମ୍‌’ ମଧ୍ୟ ଚୀନା ଲଢୁଆ ବିମାନର ଗତିବିଧି ଉପରେ ଦୃଷ୍ଟି ରଖିଥିଲା।

Related Articles

Back to top button