ତାଇୱାନ ଆକାଶରେ ଚୀନର ୬୮ରୁ ଅଧିକ ଲଢୁଆ ବିମାନ

ତାଇପେ/ବେଜିଂ:  ଚୀନର ୬୮ରୁ ଅଧିକ ଲଢୁଆ ବିମାନ ଦଫାକୁ ଦଫା ତାଇୱାନ ଆକାଶ ସୀମା ଉଲ୍ଲଂଘନ କରି ଉଡାଣ କରିଛି । ଏଥିସହିତ ୧୪ଟି ଚୀନ ଯୁଦ୍ଧପୋତ ତାଇୱାନ ଚାରିପଟେ ଜଳଭାଗରେ ଚକ୍କର କାଟିଛନ୍ତି। ଚୀନ ବିମାନଗୁଡିକୁ ଘଉଡାଇବା ସକାଶେ ତାଇୱାନ ନିଜର ଯୁଦ୍ଧ ବିମାନଗୁଡିକୁ ପଠାଇବା ପରେ ଚୀନ ବିମାନଗୁଡିକ ପଳାଇ ଯାଇଥିଲେ। ତେବେ ସେଗୁଡିକ ବାରମ୍ବାର ଏଭଳି କରିବା ଘଟଣା ତାଇୱାନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଚୀନ ପକ୍ଷରୁ ଆମେରିକାକୁ ସତର୍କ କରାଇ କୁହାଯାଇଛି ଯେ ସେ ଏକ ବୃହତ୍ତର ସଙ୍କଟ ସୃଷ୍ଟିର କାରଣ ନହେଉ। ତାଇୱାନକୁ ନେଇ ଚୀନର ସାମରିକ କାର୍ଯ୍ୟକଳାପ ଯଥେଷ୍ଟ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଏହା ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି ବିଶ୍ୱରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଚୀନ ନିଜର ସାମରିକ ଅଭ୍ୟାସ ତୁରନ୍ତ ବନ୍ଦ କରିବାକୁ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପକ୍ଷରୁ କୁହାଯାଇଛି। ଚୀନ ପକ୍ଷରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ତାଇୱାନ ଜଳରାଶିକୁ ନିକ୍ଷେପ କରାଯିବା ଘଟଣାକୁ ଏହି ରାଷ୍ଟ୍ରଗୁଡିକ ଦୃଢ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ଯେ ତାଇୱାନର ଆକାଶ ଓ ଜଳସୀମାକୁ ବାରମ୍ବାର ଉଲ୍ଲଂଘନ କରି ଚୀନ ତାହାର ଯୁଦ୍ଧ ପୂର୍ବ ଅଭ୍ୟାସ ଜାରି ରଖିଛି।

ତେବେ ଚୀନର ଏଭଳି ହରକତର ଜବାବ ଦେବାକୁ ତାଇୱାନ ନିଜର ସତର୍କ ଦୃଷ୍ଟି ବ୍ୟବସ୍ଥାକୁ ସକ୍ରିୟ କରିବା ସହିତ ଏହାର ସିଏପି ବିମାନ, ଯୁଦ୍ଧ ଜାହାଜ ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ପୂର୍ଣ୍ଣ ପ୍ରସ୍ତୁତ ରଖିଥିବା ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ୱୟଂଶାସିତ ଦ୍ୱୀପ ରାଷ୍ଟ୍ର ତାଇୱାନର କ୍ଷେପଣାସ୍ତ୍ର ବିକାଶକାରୀ ଦଳର ମୁଖ୍ୟଙ୍କ ମୃତଦେହ ଏକ ହୋଟେଲ ପ୍ରକୋଷ୍ଠରୁ ମିଳିଥିବା ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି। ଏହି ଅଧିକାରୀ କୁ ୟାଙ୍ଗ ଲି-ସିଙ୍ଗ୍‍ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଓ ବିକାଶ ୟୁନିଟ୍‍ର ଉପମୁଖ୍ୟ ଥିଲେ। ଶନିବାର ସକାଳେ ୫୭ ବର୍ଷ ବୟସ୍କ ସିଙ୍ଗ୍‍ଙ୍କ ମୃତଦେହ ଦକ୍ଷିଣ ତାଇୱାନର ପିଙ୍ଗତୁଙ୍ଗସ୍ଥିତ ଏକ ହୋଟେଲ ପ୍ରକୋଷ୍ଠରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଥିବାବେଳେ ତାଙ୍କର ହୃଦ୍‍ଘାତରେ ମୃତ୍ୟୁ ଘଟିଥିବା କେତେକ ଆଶଙ୍କା କରୁଛନ୍ତି।

ଆମେରିକା ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ ଶନିବାର କହିଛନ୍ତି ଯେ ଜଳବାୟୁ ସଙ୍କଟ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗକୁ ଚୀନ ନିଜ ଇଛାରେ ପରିଚାଳନା କରିପାରିବ ନାହିଁ। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇପେ ଗସ୍ତ ପରେ ଚୀନ ସରକାର ଆମେରିକା ସହିତ ଜଳବାୟୁ ଆଲୋଚନା ସ୍ଥଗିତ ରଖିବା ଏବଂ ଅନ୍ୟାନ୍ୟ ସମ୍ପର୍କ ତୁଟାଇବା ପରିପ୍ରେକ୍ଷୀରେ ବ୍ଳିଙ୍କେନ ଏହା କହିଛନ୍ତି। ସେ କହିଛନ୍ତି ଯେ ଚୀନ ଓ ଆମେରିକା ଦୁଇ ଦେଶ ମଧ୍ୟରେ ବିବାଦକୁ କେନ୍ଦ୍ରକରି ଚୀନ ସମୁଦାୟ ବିଶ୍ୱକୁ ଦଣ୍ଡିତ କରିଛି। ୱାଶିଂଟନ ଏକାଧିକ ଥର ବେଜିଂକୁ ସ୍ପଷ୍ଟ କରିସାରିଛି ଯେ ପେଲୋସିଙ୍କ ଗସ୍ତକୁ ନେଇ ଏହା କୌଣସି ପ୍ରକାର ସଙ୍କଟ ପରିସ୍ଥିତି ସୃଷ୍ଟି ନକରୁ। ଚୀନର ଏଭଳି ମାତ୍ରାଧିକ ଏବଂ ଉତ୍ତେଜନା ସୃଷ୍ଟିକାରୀ ଯୁଦ୍ଧାଭ୍ୟାସର କୌଣସି ଯଥାର୍ଥତା ନାହିଁ। ଏଭଳି କରି ଚୀନ ବିପଜ୍ଜନକ କାର୍ଯ୍ୟକଳାପକୁ ଏକ ଉଚ୍ଚତର ସ୍ତରକୁ ନେଇଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା କେବେହେଲେ ସଙ୍କଟକୁ ଉସୁକାଇବ ନାହିଁ, କିନ୍ତୁ ଏହା ନିଜର ମିତ୍ର ରାଷ୍ଟ୍ରଗୁଡିକୁ ଓ ସମର୍ଥନ ଜାରି ରଖିବ ଏବଂ ଆନ୍ତର୍ଜାତିକ ନିୟମ ମଧ୍ୟରେ ନିଜର ବିମାନ ଉଡାଣ ସହିତ ସମୁଦ୍ର ବକ୍ଷରେ ଜାହଜ ଚଳାଚଳ କରିବ।

ତାଇୱାନ କହିଛି ଯେ ଶନିବାର ଚୀନ ପକ୍ଷରୁ ନିକ୍ଷେପ କରାଯାଇଥିବା ଅନ୍ୟୂନ ଚାରିଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ରାଜଧାନୀ ତାଇପେ ଉପର ଦେଇ ଯାଇଛି। ଚୀନର ଏହି ଯୁଦ୍ଧାଭ୍ୟାସ ରବିବାର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି କହିଛନ୍ତି, ଆମେରିକା ଯେଭଳି ଦାୟିତ୍ୱହୀନ ଭାବରେ କାର୍ଯ୍ୟ ନକରିବ ଏବଂ ବୃହତ୍ତର ସଙ୍କଟ ସୃଷ୍ଟି ନକରିବ ତାହା ସେ ସତର୍କ କରାଇ ଦେଉଛନ୍ତି। ଅନ୍ୟପକ୍ଷରେ ନାନ୍ସି ପେଲୋସି ଆନ୍ତର୍ଜାତିକ ଶାନ୍ତି ବିନଷ୍ଟକାରୀ ବୋଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ପେଲୋସି ତାଇୱାନ ଗସ୍ତ ପରେ ଦକ୍ଷିଣ କୋରିଆରେ ଯାଇ ପହଞ୍ଚିଥିଲେ। ସେଠାରେ ସେ ଉତ୍ତର କୋରିଆ ସହିତ ଲାଗିଥିବା ସୀମାନ୍ତ ଗସ୍ତ କରିବା ସହିତ ଦକ୍ଷିଣ କୋରିଆ ଜାତୀୟ ଆସେମ୍ବ୍ଲିର ବାଚସ୍ପତି କିମ୍‍ ଜିନ ପ୍ୟୋଙ୍କ ସହିତ ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

Related Articles

Back to top button