ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣଥିଳକାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ମାମଲାରେ ଜାମିନ ପାଇଲେ ଶ୍ରୀଲଙ୍କା ଦଳର ଅନ୍ତର୍ଜାତୀୟ କ୍ରିକେଟର ଦନୁଷ୍କା ଗୁଣଥିଳକା। ମାମଲାରେ ଅଷ୍ଟ୍ରେଲିଆ ଅଦାଲତ ଦନୁଷ୍କାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ଜାମିନ ପାଇଁ ଶ୍ରୀଲଙ୍କା ସରକାର ଏବଂ କ୍ରିକେଟ୍ ବୋର୍ଡ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ।

୧,୫୦,୦୦୦ ଡଲାରର ବ୍ୟକ୍ତିଗତ ମୁଚଲିକା, ପୋଲିସ ନିକଟରେ ପ୍ରତିଦିନ ହାଜର ହେବା, ରାତି ୯ଟା ଏବଂ ସକାଳ ୬ଟା ପର୍ଯ୍ୟନ୍ତ ନଜର ରଖାଯିବା, ଅଭିଯୋଗକାରୀଙ୍କ ସହ ଯୋଗାଯୋଗ ନକରିବା, ଟିଣ୍ଡର ଏବଂ ଡେଟିଂ ଆପ୍‌ ବ୍ୟବହାର ନକରିବା ଆଦି ସର୍ତ୍ତରେ ସିଡନୀର ଏକ କୋର୍ଟ ଗୁଣଥିଳକାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

୩୧ ବର୍ଷୀୟ ଗୁଣଥିଳକା ନଭେମ୍ବର ୬ରେ ସିଡନୀ ପୋଲିସ ଦ୍ଵାରା ଗିରଫ ହେବା ପରେ ହେପାଜତରେ ଥିଲେ। ଜଣେ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ। ଏହା ପରଠୁ ସେ ୧୧ ଦିନ ଜେଲ୍‌ରେ ରହିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ କରିଛି।

କୋର୍ଟର ଶୁଣାଣିରୁ ଜଣା ପଡିଥିଲା ଯେ, ଅକ୍ଟୋବର ୨୯ରେ ଉଭୟ ଡେଟିଂ ଆପ୍‌ରେ ପରସ୍ପରକୁ ଭେଟିଥିଲେ। ଦୁଇ ଜଣଙ୍କ ସାକ୍ଷାତ ନଭେମ୍ବର ୨ରେ ହୋଇଥିଲା। ଯୋଡି ମହିଳାଙ୍କ ଘରକୁ ଯିବା ପୂର୍ବରୁ ସିଡନୀ ସିବିଡିରେ ମଦ୍ୟପାନ କରିଥିଲେ। କୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ, ଗୁଣଥିଳକା ମହିଳାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। କ୍ରିକେଟରଙ୍କୁ ସେହି ସମୟରେ ଗିରଫ କରାଯାଇଥିଲା, ଯେତେବେଳେ ସେ ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଦଳର ସଦସ୍ୟ ଥିଲେ।

Related Articles

Back to top button