
ଟ୍ରମ୍ପଙ୍କ ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରି ପରୋକ୍ଷରେ ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଇଛନ୍ତି ଦିମିତ୍ରୀ ମେଦଭେଦେବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ରୁଷିଆ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ୟୁକ୍ରେନ ସହିତ ଯୁଦ୍ଧବିରତି ଆଲୋଚନାରେ ସାମିଲ ହେବାକୁ ମନା କରି ନିଆଁ ସହିତ ଖେଳୁଛନ୍ତି। ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ମସ୍କୋ ସଂପ୍ରତି ୟୁକ୍ରେନ ଉପରେ ଘାତକ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯାହା ଫେବ୍ରୁଆରୀ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସବୁଠାରୁ ବଡ ଆକ୍ରମଣ। ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ଉତ୍ତର-ପୂର୍ବରେ ସ୍ଥିର ଭାବରେ ଆଗକୁ ବଢୁଛନ୍ତି।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଏକ ପୋଷ୍ଟରେ କହିଛନ୍ତି, ‘ଭ୍ଲାଦିମିର ପୁଟିନ ଜାଣିନାହାଁନ୍ତି ଯେ ଯଦି ମୁଁ ସେଠାରେ ନ ଥାନ୍ତି, ତେବେ ରୁଷରେ ବହୁତ ଖରାପ ଘଟଣା ଘଟିସାରିଥାନ୍ତା। ସେ ନିଆଁ ସହିତ ଖେଳୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ଗର୍ବର ସହିତ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପସ୍ଥାପନ କରିଆସୁଛନ୍ତି। ସେ ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନା ଆରମ୍ଭ କରିବା ପାଇଁ ପୁଟିନଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଥିଲେ, ଯାହା ପରେ ଆଲୋଚନା ଆରମ୍ଭ ହୋଇଛି। କିନ୍ତୁ ସମ୍ପ୍ରତି ଏଥିରେ କୌଣସି ଅଗ୍ରଗତି ହୋଇନାହିଁ।ରୁଷିଆର ସର୍ବୋଚ୍ଚ ସୁରକ୍ଷା ଅଧିକାରୀ ଦିମିତ୍ରୀ ମେଦଭେଦେବ ଟ୍ରମ୍ପଙ୍କ ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରି ପରୋକ୍ଷରେ ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଇଛନ୍ତି।